କୃଷ୍ଣପ୍ରସାଦ,୧୮।୧୧: ସମ୍ଭାବ୍ୟ ବାତ୍ୟା ଏବଂ ଖରାପ ପାଗକୁ ଦୃଷ୍ଟିରେ ରଖି ଚିଲିକା ହ୍ରଦରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଯାତ୍ରୀ ଓ ପର୍ଯ୍ୟଟକମାନଙ୍କ ସୁରକ୍ଷା ନିମନ୍ତେ ସୋମବାରଠାରୁ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଚିଲିକାରେ ସମସ୍ତ ପ୍ରକାର ଡଙ୍ଗା ଚଳାଚଳ ସମ୍ପୂର୍ଣ୍ଣ ଭାବେ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ପକ୍ଷରୁ ଏନେଇ ଜରୁରୀ ନିର୍ଦ୍ଦେଶନାମା ଜାରି କରାଯାଇଛି।
ପ୍ରଶାସନିକ ସୂଚନା ଅନୁଯାୟୀ, ଏହି କଟକଣା ସମୟରେ ସାତପଡ଼ା-ଜହ୍ନିକୁଦା ମଧ୍ୟରେ ଚଳାଚଳ କରୁଥିବା ଯାତ୍ରୀବାହୀ ଭସାପୋଲ ସେବା ସମ୍ପୂର୍ଣ୍ଣ ବନ୍ଦ ରହିବ। ଏହା ସହିତ ଦେଶବିଦେଶରୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ଉଦ୍ଦିଷ୍ଟ ମୋଟର ବୋଟ୍ ଏବଂ ଡଙ୍ଗା ଚଳାଚଳ ଉପରେ ମଧ୍ୟ ରୋକ୍ ଲଗାଯାଇଛି। ବାତ୍ୟା ପ୍ରଭାବରେ ଚିଲିକା ମଧ୍ୟରେ ପ୍ରବଳ ପବନ ବହିବା ସହ ଉଚ୍ଚ ଜୁଆର ଆସିବାର ଆଶଙ୍କା ରହିଥିବାରୁ କୌଣସି ଅଘଟଣକୁ ଏଡ଼ାଇବାକୁ ପ୍ରଶାସନ ଏହି ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛି।
ଅନ୍ୟପକ୍ଷରେ, ମତ୍ସ୍ୟଜୀବୀମାନଙ୍କୁ ମଧ୍ୟ ଚିଲିକା ମଧ୍ୟକୁ ମାଛ ଧରିବାକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି। ସମସ୍ତ ଡଙ୍ଗାଗୁଡ଼ିକୁ ସୁରକ୍ଷିତ ଭାବେ କୂଳରେ ବାନ୍ଧି ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ପରିସ୍ଥିତି ସ୍ୱାଭାବିକ ନ ହେବା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ବୋଲି ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି।