Categories: ମେଟ୍ରୋ

ସମସ୍ତ ଷ୍ଟ୍ରିଟ୍‌ ଭେଣ୍ଡର ପାଇବେ ଆର୍ଥିକ ସହାୟତା

ଭୁବନେଶ୍ୱର,୨୪ା୮(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ପିଏମ୍‌ ସ୍ବନିଧି ଯୋଜନାରେ ଭୁବନେଶ୍ୱରର ଷ୍ଟ୍ରିଟ୍‌ ଭେଣ୍ଡର ୧୦ହଜାର ଟଙ୍କା ଲେଖାଏ ଆର୍ଥିକ ସହାୟତା ପାଇବେ। ଏଥିପାଇଁ ପଞ୍ଜୀକୃତ, ଅଣପଞ୍ଜୀକୃତ ସମସ୍ତ ଭେଣ୍ଡର ଆବେଦନ କରିପାରିବେ। ଆବେଦନକାରୀମାନେ ନିକଟତମ ଜନସେବା କେନ୍ଦ୍ରକୁ ଯାଇ ୫୫ଟଙ୍କା ଫି’ ଓ ଆବଶ୍ୟକ ଡକ୍ୟୁମେଣ୍ଟ ଦାଖଲ କରି ଏହି ଆବେଦନ କରିବେ। ପରେ ଉକ୍ତ ଆବେଦନପତ୍ରଟି ସମ୍ପୃକ୍ତ ଆବେଦନକାରୀଙ୍କ ବ୍ୟାଙ୍କ୍‌ ନିକଟକୁ ପଠାଯିବ। କାଗଜପତ୍ର ଠିକ ଥିଲେ ବ୍ୟାଙ୍କ୍‌ ଉକ୍ତ ସହାୟତା ରାଶି ତାଙ୍କ ଆକାଉଣ୍ଟ୍‌କୁ ଟ୍ରାନ୍ସଫର କରିବେ। କିଛି ସମସ୍ୟା ଥିଲେ ଅନୁଧ୍ୟାନ କରିବାକୁ ବ୍ୟାଙ୍କ୍‌ କର୍ତ୍ତୃପକ୍ଷ ବିଏମ୍‌ସି ସହ ଯୋଗାଯୋଗ କରିବ ବୋଲି ବିଏମ୍‌ସି ଆଡିଶନାଲ କମିଶନର ସୁରଥଚନ୍ଦ୍ର ମଲ୍ଲିକ୍‌ କହିଛନ୍ତି।
ରବିବାର ବିଏମ୍‌ସିର ୩ ଜୋନ୍‌ର ଜୋନାଲ ଡେପୁଟି କମିଶନର ଓ ଅନ୍ୟ ବରିଷ୍ଠ ପଦାଧିକାରୀଙ୍କୁ ନେଇ ଏକ ବୈଠକ ବସିଥିଲା। ବୈଠକରେ ଆଡିଶନାଲ କମିଶନର ମଲ୍ଲିକ କହିଥିଲେ, କେନ୍ଦ୍ର ସରକାରଙ୍କ ଦ୍ୱାରା ମିଳିବାକୁ ଥିବା ସହାୟତା ରାଶି ସିଧା ଭେଣ୍ଡରଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌କୁ ଯିବ। ଏଥିରେ ବିଏମ୍‌ସି କେବଳ ଏକ ମାଧ୍ୟମ ସାଜିବ। ସହାୟତା ପାଇଁ ଆବେଦନ କରିଥିବା ଭେଣ୍ଡର ଜଣକ ବ୍ୟବସାୟ କରୁଛନ୍ତି କି ନାହିଁ ଓ ସହାୟତା ପାଇଁ ଯୋଗ୍ୟ କି ନୁହେଁ, ତାହାର ଅନୁଧ୍ୟାନ କରିବ। ତେବେ ଆବେଦନକାରୀଙ୍କ ତଥ୍ୟରେ ସମସ୍ୟା ରହିଥିଲେ ତୁରନ୍ତ ଯାଞ୍ଚ କରିବାକୁ ୱାର୍ଡ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି। ଆସନ୍ତା ୩୧ ସୁଦ୍ଧା ସମସ୍ତ ପ୍ରକ୍ରିୟା ସରିବ ଓ ଅଧିକରୁ ଅଧିକ ଷ୍ଟ୍ରିଟ୍‌ ଭେଣ୍ଡର କିପରି ଏହି ଯୋଜନାରୁ ସହାୟତା ପାଇବେ ସେନେଇ ବିଏମ୍‌ସି ଚେଷ୍ଟା କରିବ ବୋଲି ମଲ୍ଲିକ କହିଛନ୍ତି।