ସବୁ ସିଲ୍‌ ଥିବା ଦୋକାନ ଖୋଲିବ

ଭୁବନେଶ୍ୱର,୧୭।୧୦ (ବ୍ୟୁରୋ): ଭୁବନେଶ୍ୱରରେ କୋଭିଡ୍‌ ଗାଇଡ୍‌ଲାଇନ୍‌ ଉଲ୍ଲଂଘନ ଅଭିଯୋଗରେ ସିଲ୍‌ ହୋଇଥିବା ସମସ୍ତ ଦୋକାନ ବଜାର/ବ୍ୟବସାୟିକ ପ୍ରତିଷ୍ଠାନ ଉପରୁ ବିଏମ୍‌ସି କଟକଣା କୋହଳ କରିଛି। ପାର୍ବଣକୁ ଦୃଷ୍ଟିରେ ରଖି ଏସବୁ ଦୋକାନ ଖୋଲିବାକୁ ଘୋଷଣା କରାଯାଇଛି। ହେଲେ ସହରରେ କରୋନା ସଂକ୍ରମଣ ଜାରି ରହିଥିବାରୁ ବ୍ୟବସାୟୀମାନେ ପୂର୍ବଭଳି ସତର୍କତା ଅବଲମ୍ବନ କରିବା ସହ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲିବା ପରେ ଓ ଗ୍ରାହକଙ୍କ ପ୍ରବେଶ ପୂର୍ବରୁ ବିଶୋଧନ କରିବା ବାଧ୍ୟତାମୂଳକ କରାଯାଇଛି। ସେହିପରି ସାମାଜିକ ଦୂରତ୍ୱ ରକ୍ଷା ସହ କର୍ମଚାରୀମାନେ ମାସ୍କ ପରିଧାନ କରିବାକୁ ପରାମର୍ଶ ଦିଆଯାଇଛି। ଏଥିରେ ଖିଲାପ କଲେ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଏମ୍‌ସି ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି।