ଏହି ରାଜ୍ୟରେ ଡିସେମ୍ବର ୩୧ ଯାଏଁ ସ୍କୁଲ, କଲେଜ ବନ୍ଦ: ୪ଟି ଜିଲାରେ ରାତ୍ରକାଳୀନ କର୍ଫ୍ୟୁ ଘୋଷଣା

ଶିମଲା,୨୩।୧୧: ହିମାଚଳ ପ୍ରଦେଶରେ କରୋନାର ବର୍ଦ୍ଧିତ ମାମଲାକୁ ଦେଖି ଡିସେମ୍ବର ୩୧ ଯାଏଁ ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଏହାସହ ନଭେମ୍ବର ୨୬ରୁ ଅନ୍‌ଲାଇନ୍‌ କ୍ଲାସ୍‌ ଆରମ୍ଭ ହେବ। ସେହିପରି ୪ଟି ଜିଲାରେ ରାତ୍ରକାଳୀନ କର୍ଫ୍ୟୁ ଜାରି କରାଯିବା ସହ ମାସ୍କ ନ ପିନ୍ଧିଲେ ସର୍ବନିମ୍ନ ହଜାରେ ଟଙ୍କାର ଚାଲାଣ କଟିବ ବୋଲି ରାଜ୍ୟସରକାର ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ସୋମବାର ବସିଥିବା କ୍ୟାବିନେଟ ବୈଠକରେ ହିମାଚଳ ପ୍ରଦେଶ ସରକାର ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ହିମାଚଳ ପ୍ରଦେଶର ୪ଟି ଜିଲା ଶିମଲା, ମଣ୍ଡି, କାଙ୍ଗଡା ଓ କୁଲ୍ଲୁରେ ରାତି ୮ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିବ। ଏଥିସହ ସରକାରୀ କାର୍ଯ୍ୟାଳୟରେ ଅଧା ଷ୍ଟାଫ୍‌ଙ୍କ ସହ କାମ କରାଯିବ। କେବଳ ସେତିକି ନୁହେଁ, ଉକ୍ତ ଜିଲାରେ କୌଣସି ପ୍ରକାରର ରାଲି ଉପରେ ମଧ୍ୟ ରୋକୋ ଲଗାଯାଇଛି। ଅପରପକ୍ଷେ ନଭେମ୍ବର ୨୫ରୁ ଡିସେମ୍ବର ୨୭ ଯାଏଁ ହିମାଚଳ ପ୍ରଦେଶରେ କରୋନା ମୁକାବିଲା ପାଇଁ ଡୋର ଟୁ ଡୋର ସର୍ଭେ କରାଯିବ ବୋଲି ସୂଚନା ରହିଛି।

Share