Categories: ଖେଳ

ସୌରଭ କୁମାରଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ

ରାଜକୋଟ୍‌, ୩ା୧୦(ପି.ଟି.): ଇରାନୀ କପ୍‌ର ଦ୍ୱିତୀୟ ଦିବସରେ ଅଲ୍‌ରାଉଣ୍ଡର ସୌରଭ କୁମାରଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ଯୋଗୁ ସୌରାଷ୍ଟ୍ର ବିପକ୍ଷରେ ଅବଶିଷ୍ଟ ଭାରତ ଏକାଦଶ ଏହାର ସ୍ଥିତିକୁ ମଜଭୁତ କରିଦେଇଛି। ସୌରଭ ଷ୍ଟ୍ରୋକ୍‌ଭରା ଅର୍ଦ୍ଧଶତକ ହାସଲ କରିଥିବା ବେଳେ ୨ଟି ଉଇକେଟ ଅକ୍ତିଆର କରିଛନ୍ତି। ସେ ୭୮ ବଲ୍‌ରେ ୧୦ ଚୌକା ସହ ୫୫ ରନ୍‌ କରିଥିବା ବେଳେ ଜୟନ୍ତ ଯାଦବଙ୍କ ସହ ୭ମ ଉଇକେଟ ପାର୍ଟନରଶିପ୍‌ରେ ୭୧ ରନ୍‌ ଯୋଗ କରିଥିଲେ। ସୌରଭଙ୍କ ଏହି ଉପଯୋଗୀ ଇନିଂସ୍‌ ବଳରେ ଅବଶିଷ୍ଟ ଭାରତ ଏକାଦଶ ସୌରାଷ୍ଟ୍ର ବିପକ୍ଷରେ ୨୭୬ ରନ୍‌ର ପ୍ରଥମ ଇନିଂସ ଅଗ୍ରଣୀ ଲାଭ କରିଛି। ସୌରାଷ୍ଟ୍ର ଦଳର ସବୁଠାରୁ ସଫଳ ବୋଲର ଥିଲେ ଚେତନ ସାକାରିଆ। ସେ ୫ଟି ଉଇକେଟ ଅକ୍ତିଆର କରିଥିଲେ। ତାଙ୍କ ବୋଲିଂରେ ଶିକାର ହୋଇଥିବା ବ୍ୟାଟରମାନେ ହେଲେ, ମୟଙ୍କ ଅଗ୍ରଓ୍ବାଲ, ଶ୍ରୀକର ଭରତ, ଜୟନ୍ତ ଯାଦବ, ସୌରଭ କୁମାର ଓ ମୁକେଶ କୁମାର। ସୌରାଷ୍ଟ୍ରର ଦ୍ୱିତୀୟ ଇନିଂସରେ
ସୌରଭ ଦୁଇ ଓପନ ହାର୍ଭିକ ଦେସାଇ (୨୦) ଓ ସ୍ନେଲ ପଟେଲ (୧୬)ଙ୍କ ଉଇକେଟ ନେବାରୁ ଅବଶିଷ୍ଟ ଭାରତ ଏକାଦଶ ମ୍ୟାଚରେ ଏହାର ସ୍ଥିତିକୁ ଆହୁରି ସୁଦୃଢ କରିନେଇଥିଲା। ଷ୍ଟମ୍ପ୍ସ ଅପସାରଣ ବେଳକୁ ଚିରାଗ ଜାନି ୩ ଓ ଧର୍ମେନ୍ଦ୍ର ସିଂ ଜାଡେଜା ୮ ରନ କରି ଅପରାଜିତ ରହିଥିଲେ। ୨୦୧୯-୨୦ ରଣଜୀ ଟ୍ରଫି ଚାମ୍ପିୟନ ସୌରାଷ୍ଟ୍ର ରବିବାର ଖେଳ ଶେଷ ସୁଦ୍ଧା ୧୭ ଓଭରରେ ୨ ଉଇକେଟ ବିନିମୟରେ ୪୯ ରନ କରିଛି। ଦଳ ଆହୁରି ୨୨୭ରନ ପଛରେ ରହିଛି।
ସଂକ୍ଷିପ୍ତ ସ୍କୋର
ସୌରାଷ୍ଟ୍ର ପ୍ରଥମ ଇନିଂସ: ୯୬
ଅବଶିଷ୍ଟ ଭାରତ ଏକାଦଶ ପ୍ରଥମ ଇନିଂସ: ୩୭୪ (ସର୍ଫରାଜ ଖାଁ-୧୩୮, ହନୁମା ବିହାରୀ-୮୨, ସୌରଭ କୁମାର-୫୫; ଚେତନ ସାକାରିୟା-୫/୯୩, ଚିରାଗ ଜାନି-୨/୫୮, ଜୟଦବେ ଉନାଡକଟ୍‌-୨/୧୦୦)। ସୌରାଷ୍ଟ୍ର ଦ୍ୱିତୀୟ ଇନିଂସ: ୪୯/୨ (ସୌରଭ କୁମାର -୨/୪)।

Share