ରାଜଧାନୀରେ ସବୁ ବେସରକାରୀ କାର୍ଯ୍ୟାଳୟ-ରେଷ୍ଟୁରାଣ୍ଟ-ବାର୍‌ ବନ୍ଦ…

ନୂଆଦିଲ୍ଲୀ, ୧୧।୧ : ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି। ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ ସଂକ୍ରମଣ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜଧାନୀରେ ସମସ୍ତ ବେସରକାରୀ କାର୍ଯ୍ୟାଳୟ, ରେଷ୍ଟୁରାଣ୍ଟ ଏବଂ ବାର୍‌ ବନ୍ଦ କରାଯିବାକୁ ନିର୍ଦ୍ଦେଶ ଜାରି ହୋଇଛି। ଦିଲ୍ଲୀର ସମସ୍ତ ଘରୋଇ କାର୍ଯ୍ୟାଳୟ ବନ୍ଦ କରିବାକୁ ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଡିଡିଏମ୍‌ଏ) ନିର୍ଦ୍ଦେଶ ଦେଇଛନ୍ତି। ରେଷ୍ଟୁରାଣ୍ଟରୁ କେବଳ ଖାଦ୍ୟ ସାମଗ୍ରୀର ହୋମ୍‌ ଡେଲିଭରୀ କରାଯିବ।
ସମସ୍ତ କର୍ମଚାରୀଙ୍କୁ ଘରୁ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଉପରାଜ୍ୟପାଳ ଅନିଲ ବୈଜଲଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ଏକ ବୈଠକ ଅନୁଷ୍ଠିତ ହୋଇଥିଲା ବୈଠକରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଯୋଗ ଦେଇଥିଲେ। ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଫଳରେ ରାଜଧାନୀରେ ସଙ୍କଟ ସୃଷ୍ଟି ହୋଇଛି।

ବେସରକାରୀ ବ୍ୟାଙ୍କ, ଅତ୍ୟାବଶ୍ୟକ ସେବା ପ୍ରଦାନ କରୁଥିବା କମ୍ପାନୀଗୁଡିକର କାର୍ଯ୍ୟାଳୟଗୁଡିକୁ ପୃଥକ ଭାବରେ ତାଲିକାଭୁକ୍ତ କରାଯାଇଛି। ଏସବୁ କାର୍ଯ୍ୟାଳୟ ସହିତ ବୀମା, ମେଡିକାଲ କମ୍ପାନୀ, ଉତ୍ପାଦନ ଏବଂ ବିତରଣର ପରିଚାଳନା ଆବଶ୍ୟକ କରୁଥିବା ଫାର୍ମା କମ୍ପାନୀଗୁଡିକର କାର୍ଯ୍ୟାଳୟ, ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଦ୍ୱାରା ନିୟନ୍ତ୍ରିତ ସଂସ୍ଥା କିମ୍ବା ମଧ୍ୟସ୍ଥି, ସମସ୍ତ ଅଣ-ବ୍ୟାଙ୍କିଙ୍ଗ ଆର୍ଥିକ ନିଗମ, ସମସ୍ତ ମାଇକ୍ରୋ ଫାଇନାନ୍ସ ଅନୁଷ୍ଠାନ ଆଦି ଖୋଲା ରହିବ। କୋର୍ଟ,ଟ୍ରିବ୍ୟୁନାଲ,କମିଶନ, ଆଇନଜୀବୀଙ୍କ କାର୍ଯ୍ୟାଳୟ, କୋରିଅର୍‌ ସେବା ଆଦି କାର୍ଯ୍ୟାଳୟ ଖୋଲାଯାଇପାରିବ ବୋଲି ଡିଡିଏମ୍‌ଏ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି।

Share