ସବୁ ବନ୍ଦରରୁ ହଟିଲା ବାତ୍ୟା ବିପଦ ସଙ୍କେତ

ଭୁବନେଶ୍ୱର,୧୨ା୫(ବ୍ୟୁରୋ): ‘ଅସାନି’ ବାତ୍ୟା ସ୍ଥଳଭାଗ ଛୁଇଁ ସାରିଥିବାରୁ ଓଡ଼ିଶାର ସବୁ ବନ୍ଦରରୁ ବିପଦ ସଙ୍କେତ ଉଠାଇ ଦିଆଯାଇଛି। ଫଳରେ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ଯିବାର ସମ୍ଭାବନା ରହିଛି। ଗୁରୁବାରଠାରୁ ରାଜ୍ୟରେ ପାଣିପାଗ ବଦଳିବ। ମେଘମୁକ୍ତ ଆକାଶ ସହ ତାପମାତ୍ରା ମଧ୍ୟ ବୃଦ୍ଧି ପାଇବ। ଆଭ୍ୟନ୍ତରୀଣ ଓଡ଼ିଶାରେ ଏବେ ସ୍ବାଭାବିକଠାରୁ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମ୍‌ ରହିଛି। ୧୫ ତାରିଖ ବେଳକୁ ରାଜ୍ୟରେ ସ୍ବାଭାବିକଠାରୁ ତାପମାତ୍ରା ବଢ଼ିବାର ସମ୍ଭାବନା ରହିଛି। ଫଳରେ ଉପକୂଳ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୪୪ ଡିଗ୍ରୀ ପହଞ୍ଚିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ।