ନିର୍ବାଚନ ପାଇଁ ସର୍ବଦଳୀୟ ବୈଠକ

ଢେଙ୍କାନାଳ ଅଫିସ, ୨୫ ।୧ ଢେଙ୍କାନାଳ ଜିଲାରେ ଅବାଧ ଏବଂ ନିରପେକ୍ଷ ନିର୍ବାଚନ ପରିଚାଳନା ଲାଗି ସୋମବାର ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା କାର୍ଯ୍ୟାଳୟରେ କରୋନା ମାର୍ଗଦର୍ଶିକା ଅନୁଯାୟୀ ଆୟୋଜିତ ଏହି ବୈଠକରେ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତା ଉପସ୍ଥିତ ଥିଲେ। ଜିଲାରେ ବିଭିନ୍ନ ସ୍ଥାନରେ ଲାଗିଥିବା ଏବଂ ଦୃଷ୍ଟିଗୋଚରକୁ ଆସୁ ନ ଥିବା ସରକାରୀ ପୋଷ୍ଟର, ହୋର୍ଡିଂ, ବ୍ୟାନର ହଟାଇବା, ଆଚରଣବିଧି ଉଲ୍ଲଂଘନ ହେଲେ ଦୃଷ୍ଟିକୁ ଆଣିବାକୁ ଜିଲାପାଳ ସରୋଜ କୁମାର ସେଠୀ ପରାମର୍ଶ ଦେଇଛନ୍ତି। ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ପାଳନ କରି ପ୍ରଚାର କରିବା, ପ୍ରଚାର ବେଳେ କରୋନା ସତର୍କତା ରକ୍ଷା, ଆଦର୍ଶ ଆଚରଣ ବିଧିକୁ ସମ୍ମାନ ଜଣାଇବା ଲାଗି ସାଧାରଣ ପର୍ଯ୍ୟବେକ୍ଷକ ମନୋଜ କୁମାର ମହାନ୍ତି ପରାମର୍ଶ ଦେଇଛନ୍ତି। ବୈଠକରେ ଏସ୍‌ପି ଲୋଗାନୟାଗୀ ଦିବ୍ୟା ଭି., ପିଡି ଡିଆରଡିଏ ସାଫଲ୍ୟ ମଣ୍ଡିତ ପ୍ରଧାନ, ଜିଲା ପଞ୍ଚାୟତ ଅଧିକାରୀ ଚନ୍ଦ୍ରଶେଖର ମହାରଣା, ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଉପସ୍ଥିତ ଥିଲେ। ଅତିରିକ୍ତ ଜିଲାପାଳ ଶଶାଙ୍କ ଶେଖର ଦାସ ଧନ୍ୟବାଦ ଦେଇଥିଲେ।