ପୁଣି ତେଜିଲା ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି: ସବୁ ସରକାରୀ ଅଫିସ ବନ୍ଦ

ବଲାଙ୍ଗୀର ଅଫିସ,୧୭ା୧୧: ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପୁନଃ ପ୍ରତିଷ୍ଠା ଦାବି ନେଇ ଗୁରୁବାର ବଲାଙ୍ଗୀରରେ ପୁଣି ଥରେ ଆନ୍ଦୋଳନ ଆରମ୍ଭ ହୋଇଛି। ଆଜି ବଲାଙ୍ଗୀରର ସମସ୍ତ ସରକାରୀ ଅଫିସ ବନ୍ଦ କରାଯାଇଛି। ଆକ୍ସନ କମିଟି ସଭାପତି ଗୋପାଲଜୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ସକାଳ ୬ରୁ ଡାକଘର ସମ୍ମୁଖରେ ପିକେଟିଂ କରିଥିଲେ। ଏହାପରେ ଜିଲାପାଳ ଅଫିସ, ଡିଆର୍‌ଡିଏ, ଡିଏଫ୍‌ଓ ଅଫିସ, ସିଭିଲ କୋର୍ଟ ସମ୍ମୁଖରେ ପିକେଟିଂ କରିଥିଲେ। ପରେ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଥିଲା। ଜିଲା ଓକିଲ ସଂଘ ସଭାପତି ଅମରେଶ ତ୍ରିପାଠୀ, ନାଗରିକ କମିଟି ସମ୍ପାଦକ ମନୋରଞ୍ଜନ ସାହୁ, ବରିଷ୍ଠ ଆଡ୍‌ଭୋକେଟ୍‌ ଭବାନୀ ଶଙ୍କର ଶତପଥୀ, ରତନ ମହାରଣା, ନୀଳମଣି ମିଶ୍ର, ସରୋଜ ପାଣିଗ୍ରାହୀ, ଅଶୋକ ରାଉତ, ରାଜେନ୍ଦ୍ର ମିଶ୍ର, ବିକ୍ରମାନନ୍ଦ ବହିଦାର, ପୁଲିନ ମିଶ୍ର, ବିଭୂଦତ୍ତ ମିଶ୍ର, ଡ ବିପିନ କୁଶଲିଆଙ୍କ ସମେତ ବିଭିନ୍ନ ସାମାଜିକ, ସାଂସ୍କୃତିକ, ସ୍ବେଚ୍ଛାସେବୀ ସଙ୍ଗଠନ ପ୍ରତିନିଧି ଯୋଗଦାନ କରି ସରକାରଙ୍କ କାଳବିଳମ୍ବ ନୀତିକୁ ତୀବ୍ର ସମାଲୋଚନା କରିଥିଲେ।