୧୦ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ସମସ୍ତ ଜିଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୦।୫(ବ୍ୟୁରୋ): ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ୪୩୪୮୯ଜଣ ପିଲା ଅନୁପସ୍ଥିତ ଥିବା ପ୍ରସଙ୍ଗରେ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ବିଷ୍ଣୁପଦ ସେଠୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ୪୩,୪୮୯ଜଣ ଛାତ୍ରୀଛାତ୍ର କାହିଁକି ପରୀକ୍ଷା ଦେଉନାହାନ୍ତି ଓ କେଉଁ ସ୍କୁଲରୁ କେତେ ପିଲା ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି, ସେନେଇ ୧୦ଦିନ ମଧ୍ୟରେ ରିପୋର୍ଟ ଦେବାକୁ ସମସ୍ତ ଜିଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖି କୁହାଯାଇଛି।
ଚିଠିରେ ଦର୍ଶାଯାଇଛି ଯେ, ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ବାର୍ଷିକ ମାଟ୍ରିକ ପରୀକ୍ଷାରେ ୪୩୪୮୯ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇନଥିବା ଜଣାପଡ଼ିଛି । ତେବେ ଏ ବର୍ଷ ଏତେ ପରିମାଣର ଛାତ୍ରୀଛାତ୍ର ପରୀକ୍ଷାରେ ଅନୁପସ୍ଥିତ ରହିବା ଚିନ୍ତାଜନକ। ପିଲା କାହିଁକି ପରୀକ୍ଷା ଦେଲେନି ତା’ର କାରଣ ଖୋଜାଯିବା ଦରକାର । ସ୍କୁଲୱାରି ତଥ୍ୟ ବିଶ୍ଲେଷଣ କଲେ ହିଁ ଏହି କାରଣ ଜଣାପଡିବ । ତେଣୁ ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ସ୍କୁଲୱାରି ପରୀକ୍ଷାର୍ଥୀଙ୍କ ସଂଖ୍ୟା ଓ କାରଣ ଆସନ୍ତା ୧୦ଦିନ ମଧ୍ୟରେ ନିର୍ଦ୍ଧାରିତ ଫର୍ମାଟରେ ପଠାଇବାକୁ ଗଣଶିକ୍ଷା ସଚିବ ସମସ୍ତ ଜିଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।