ସମସ୍ତ କରୋନା ମୃତକଙ୍କୁ କରାଯିବ ଚିହ୍ନଟ: କେନ୍ଦ୍ର ସରକାର …

ନୂଆଦିଲ୍ଲୀ,୨୦।୬: ଦେଶରେ କରୋନା ସଂକ୍ରମଣରେ ଆକ୍ରାନ୍ତ ଯୋଗୁ ଘଟିଥିବା ସମସ୍ତ ମୃତକଙ୍କୁ ଚିହ୍ନଟ କରାଯିବ। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମ୍‌କୋର୍ଟରେ ଦାଖଲ ହୋଇଥିବା ୧୮୩ ପୃଷ୍ଠାର ସତ୍ୟପାଠରେ ଉଲ୍ଲେଖ କରାଯାଇଛି। କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ତାଲିକାରେ ହସ୍ପିଟାଲରେ ଘଟିଥିବା ଲୋକଙ୍କୁ ସାମିଲ କରାଯାଇଛି। ତେବେ ଘରେ ଅବା ହସ୍ପିଟାଲ କ୍ୟାମ୍ପସ୍‌, ପାର୍କିଂ ସ୍ଥାନରେ ଘଟିଥିବା ମୃତକଙ୍କୁ ତାଲିକାରେ ସାମିଲ୍‌ କରାଯାଇ ନାହିଁ। ବିଭିନ୍ନ ରାଜ୍ୟରେ ସରକାରୀ ଭାବେ ଘୋଷଣା କରାଯାଇଥିବା ମୃତକଙ୍କ ସଂଖ୍ୟା ଏବଂ ବେସରକାରୀ ହିସାବ ମଧ୍ୟରେ ତାଳମେଳ ରହୁ ନ ଥିବା ଅଭିଯୋଗ ହୋଇଛି। ସରକାରଙ୍କ ମୃତକ ତାଲିକାଠାରୁ ପ୍ରକୃତ ମୃତକଙ୍କ ସଂଖ୍ୟା ଢେର୍‌ ଅଧିକ ବୋଲି ଅଭିଯୋଗ ହୋଇଛି। ମଧ୍ୟପ୍ରଦେଶ, ବିହାର, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କର୍ନାଟକ, ଦିଲ୍ଲୀ ଆଦିରେ ଘଟିଥିବା କରୋନା ମୃତକଙ୍କ ସଂଖ୍ୟା ଯଥେଷ୍ଟ ଅଧିକ ଥିବାବେଳେ ସରକାରୀ ରିପୋର୍ଟରେ ଏହା କମ୍‌ ପ୍ରକାଶ ପାଇଥିବା ଅଭିଯୋଗ ଜାରି ରହିଛି। ଏସବୁ ରାଜ୍ୟରେ ଚିହ୍ନଟ ହୋଇ ନ ଥିବା ୪ ଲକ୍ଷ ୮୦ ହଜାରରୁ ଅଧିକ କରୋନା ମୃତକ ରହିଛନ୍ତି। ଶନିବାର ବିହାରରେ ଗତ ୫ ମାସ ମଧ୍ୟରେ ୭୫ ହଜାର ଲୋକଙ୍କ ମୃତ୍ୟୁ ଘଟିଥିବା ବେସରକାରୀ ଭାବେ ପ୍ରକାଶ ପାଇଥିବାବେଳେ ଏହା ସରକାରୀ ରିପୋର୍ଟଠାରୁ ୧୦ ଗୁଣା ଅଧିକ ବୋଲି କୁହାଯାଉଛି।

Share