ଶୁକ୍ର ଗ୍ରହରେ ଏଲିଅନ !

ଓ୍ବାଶିଂଟନ, ୧୫।୯: ଶୁକ୍ର ଗ୍ରହରେ ଜୀବନର ସନ୍ଧାନ ମିଳିଛି। ଏନେଇ ମହାକାଶ ବିଜ୍ଞାନୀ ସୂଚନା ଦେଇଛନ୍ତି। ଏଠାକାର ବାୟୁମଣ୍ଡଳରେ ଫସଫିନ୍‌ ଗ୍ୟାସ୍‌ର ଆସ୍ତରଣ ଥିବା ଜଣାପଡ଼ିଛି। ହୁଏତ ଏଠାକାର ବାୟୁମଣ୍ଡଳରେ ଏଲିଅନ ବାସ କରୁଥାଇ ପାରନ୍ତି ବୋଲି ମହାକାଶ ବିଜ୍ଞାନୀ ଆଶା ପ୍ରକାଶ କରିଛନ୍ତି। ଫସଫିନ୍‌୍‌ ଗ୍ୟାସ୍‌ ଗୋଟିଏ ଫସଫରସ୍‌ ପରମାଣୁ ଏବଂ ୩ଟି ହାଇଡ୍ରୋଜେନ୍‌ ପରମାଣୁ ରହିଥାଏ। ଏଥିରେ ଜୀବନ ତିଷ୍ଠି ରହିବାର ଯଥେଷ୍ଟ ସମ୍ଭାବନା ରହିଛି। ଶୁକ୍ରର ବାୟୁମଣ୍ଡଳରେ ସୁକ୍ଷ୍ମ ଜୀବନ ଭାସି ବୁଲୁଥିବା ଅନୁମାନ କରାଯାଉଛି। ଫସଫିନ୍‌ ଗ୍ୟାସ୍‌ ପେଙ୍ଗୁଇନ୍‌ଙ୍କ ପାକସ୍ଥଳୀରେ ମିଳିଥାଏ। ସେହିପରି କମ୍‌ ଅମ୍ଳଜାନ ଥିବା ସ୍ଥାନରେ ଏହି ଗ୍ୟାସ୍‌ ମିଳିଥାଏ। ମାଇକ୍ରୋ ବ୍ୟାକ୍ଟେରିଆ ଅମ୍ଳଜାନ ଅଭାବରେ ଏହି ଗ୍ୟାସ୍‌ ସୃଷ୍ଟି କରିଥାନ୍ତି। ଶୁକ୍ରର ବାୟୁ ମଣ୍ଡଳରେ ଫସଫିନ୍‌ ଗ୍ୟାସ୍‌ର ପତଳା ଆବରଣ ରହିଛି। ଏହା ଏଠାରେ ଥିବା ଜୀବନକୁ ପ୍ରମାଣିତ କରୁଛି ବୋଲି ମହାକାଶ ବିଜ୍ଞାନୀ ଦାବି କରିଛନ୍ତି। ଏନେଇ ବ୍ରିଟେନ୍‌ର କାର୍ଡିଫ୍‌ ବିଶ୍ୱବିଦ୍ୟାଳୟର ପ୍ରଫେସର ଜେନ୍‌ ଗ୍ରୀବ୍ସ୍‌ କହିଛନ୍ତି ଯେ, ଫସଫିନ୍‌ କାରଖାନାରେ ତିଆରି ହୋଇଥାଏ। ମାତ୍ର ଶୁକ୍ରରେ କାରଖାନା ତ ନାହିଁ। ସେଠାରେ ପେଙ୍ଗୁଇନ୍‌ ମଧ୍ୟ ନାହାନ୍ତି। ତେଣୁ ନିଶ୍ଚିତ ଭାବେ ମାଇକ୍ରୋ ବ୍ୟାକ୍ଟେରିଆ ଅବା ଅଲିଅନ୍‌ ଭଳି ଅନ୍ୟ କୌଣସି ପ୍ରାଣୀ ରହିଥିବାର ଅନୁମାନ କରାଯାଉଛି। ଶୁକ୍ର ଭୂପୃଷ୍ଠର ୫୦ କିଲୋମିଟର ଉପରେ ଫସଫିନ୍‌ର ଆସ୍ତରଣ ରହିଛି। ଚିଲିର ଆଟାକାମାସ୍ଥିତ ଲାର୍ଜ ମିଲିମିଟର ୟେରି ଟେଲିସ୍କୋପ୍‌ ସହାୟତାରେ ଶୁକ୍ରରେ ଫସଫିନ୍‌ ଗ୍ୟାସ୍‌ ଥିବା ଜଣାପଡ଼ିଛି। ଏଠାକାର ବାୟୁମଣ୍ଡଳରେ ୯୬ ପ୍ରତିଶତ କାର୍ବନ ଡାଇଅକ୍ସାଇଡ୍‌ ଗ୍ୟାସ୍‌ ରହିଛି। ଏଠାକାର ଭୂପୃଷ୍ଠର ତାପମାତ୍ରା ପ୍ରାୟ ୪୦୦ ଡିଗ୍ରୀ ସେଲସିୟସ୍‌। ତେଣୁ ଯଦି କୌଣସି ଜୀବନ ଏଠାରେ ରହିଥାଏ ତାହା ଭୂପୃଷ୍ଠଠାରୁ ୫୦ କିଲୋମିଟର ଉପରେ ରହିବା ସ୍ବାଭାବିକ ବୋଲି ଗ୍ରୀବ୍ସ୍‌ ସୂଚନା ଦେଇଛନ୍ତି।

Share