ତେହରାନ୍,୨।୩: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ପତ୍ନୀ ମନସୁରେହ ଖୋଜସ୍ତେହ ବାଘେରଜାଦେହଙ୍କ ଦେହାନ୍ତ ହୋଇଛି। ଇରାନର ସରକାରୀ ଗଣମାଧ୍ୟମ ଅନୁଯାୟୀ, ସେ ନିକଟରେ ଆମେରିକା ଏବଂ ଇସ୍ରାଏଲର ମିଳିତ ବିମାନ ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ। ଦୀର୍ଘ ଚିକିତ୍ସା ପରେ ସୋମବାର ତାଙ୍କର ମୃତ୍ୟୁ ହୋଇଛି। ଫେବୃଆରୀ ୨୮ ତାରିଖରେ ତେହରାନ୍ ସମେତ ପ୍ରମୁଖ ଲକ୍ଷ୍ୟସ୍ଥଳ ଉପରେ କରାଯାଇଥିବା ଏହି ଆକ୍ରମଣରେ ସର୍ବୋଚ୍ଚ ନେତା ଖାମେନେଇ ଏବଂ ତାଙ୍କ ପରିବାରର ଅନେକ ସଦସ୍ୟଙ୍କ ମୃତ୍ୟୁ ହୋଇଥିଲା। ଇରାନର ସର୍ବୋଚ୍ଚ ଧାର୍ମିକ ଏବଂ ରାଜନୈତିକ ନେତା ଖାମେନେଇଙ୍କ ମୃତ୍ୟୁ ଇରାନକୁ ଆହୁରି କ୍ରୋଧିତ କରିଛି।
ଖାମେନେଇଙ୍କ ମୃତ୍ୟୁ ପରେ, ଇରାନ ୪୦ ଦିନର ଜାତୀୟ ଶୋକ ଘୋଷଣା କରିଥିଲା। ମନସୁରେହ ୧୯୬୪ରେ ଖାମେନେଇଙ୍କୁ ବିବାହ କରିଥିଲେ ଏବଂ ସେମାନଙ୍କର ଛଅଟି ସନ୍ତାନ ହୋଇଥିଲା। ସେ ସର୍ବଦା ସାର୍ବଜନୀନ ଜୀବନରୁ ଦୂରରେ ରହି ବ୍ୟକ୍ତିଗତ ଜୀବନକୁ ପସନ୍ଦ କରୁଥିଲେ। ସରକାରୀ କାର୍ଯ୍ୟକ୍ରମରେ ତାଙ୍କର ଉପସ୍ଥିତି ଅତ୍ୟନ୍ତ ବିରଳ ଥିଲା। ଇରାନୀ ଗଣମାଧ୍ୟମ ଦାବି କରୁଛି ଯେ ଆକ୍ରମଣରେ ଖାମେନେଇ ପରିବାରର ଅନେକ ସଦସ୍ୟଙ୍କ ମୃତ୍ୟୁ ଘଟିଛି ।

