Categories: ଖେଳ

ବେଞ୍ଜେମା, ପୁଟେଲାସ୍‌ଙ୍କୁ ବାଲନ ଡି’ଅର ପୁରସ୍କାର

ପ୍ୟାରିସ, ୧୯ା୧୦(ଏପି): କରିମ ବେଞ୍ଜେମା ପୁରୁଷ ପ୍ରଥମ ଥର ବାଲାନ ଡି’ଅର ପୁରସ୍କାର ଲାଭ କରିଛନ୍ତି। ସିଜନରେ ରିଅଲ ମାଡ୍ରିଡର ଚାମ୍ପିୟନ୍ସ ଲିଗ୍‌ ଓ ସ୍ପାନିଶ ଟାଇଟଲ ହାସଲରେ ତାଙ୍କର ବିଶେଷ ଭୂମିକା ରହିଥିଲା। ସ୍ପାନିଶ ଖେଳାଳି ଆଲେକ୍ସିଆ ପୁଟେଲାସ୍‌ ବାର୍ସିଲୋନା ସହିତ ଆଉ ଏକ ସିଜନରେ ଚମତ୍କାର ପ୍ରଦର୍ଶନ କରି କ୍ରମାଗତ ଦ୍ୱିତୀୟ ଥର ପାଇଁ ମହିଳା ଟ୍ରଫି ଜିତିଛନ୍ତି। ମାଡ୍ରିଡ୍‌ ଦଳରେ ବେଞ୍ଜେମାଙ୍କର ଏହା ଶ୍ରେଷ୍ଠ ସିଜନ ଥିଲା। ସେ ଉଭୟ ଲିଗ୍‌ରେ ଟପ୍‌ ସ୍କୋରର ରହିଥିଲେ। ମାଡ୍ରିଡ ତରଫରୁ ସେ ୪୪ ଗୋଲ ସ୍କୋର କରିଥିଲେ। ତନ୍ମଧ୍ୟରେ ୟୁରୋପର ଟପ୍‌ ପ୍ରତିଯୋଗିତାରେ ୧୫ ଗୋଲ୍‌ ସାମିଲ। ବର୍ତ୍ତମାନ ସେ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ପଛରେ ରହିଥିବା ଦଳର ଦ୍ୱିତୀୟ ସର୍ବାଧିକ ଗୋଲ୍‌ ସ୍କୋରର ରାଉଲ ଗୋଞ୍ଜାଲେଜ୍‌ଙ୍କ ସମକକ୍ଷ ହୋଇଛନ୍ତି। ୧୯୫୪ରେ ଷ୍ଟାନ୍‌ଲି ମାଥ୍ୟୁସଙ୍କ ପଛକୁ ୩୪ ବର୍ଷୀୟ ବେଞ୍ଜେମା ଏହି ପୁରସ୍କାର ଜିତିବାରେ ସବୁଠାରୁ ବୟସ୍କ ଖେଳାଳି। ପୁରସ୍କାର ଜିତିବା ପରେ ବେଞ୍ଜେମା କହିଛନ୍ତି, ତାଙ୍କ ଦୃଷ୍ଟିରେ ବୟସ ହେଉଛି ଏକ ସଂଖ୍ୟା। ତାଙ୍କର ଏବେସୁଦ୍ଧା ଫୁଟ୍‌ବଲ ନିଶା ଛାଡ଼ି ନାହିଁ। ଯେପର୍ଯ୍ୟନ୍ତ ଫିଟ୍‌ ଥିବେ ଖେଳ ଜାରି ରଖିଥିବେ। ପୁରସ୍କାର ଦୌଡ଼ରେ ବେଞ୍ଜେମା ସାଡିଓ ମାନେ ଓ ମାଞ୍ଚେଷ୍ଟର ସିଟି ପ୍ଲେମେକର କେଭିନ୍‌ ଡି’ ବ୍ରୁଇନ୍‌ଙ୍କୁ ପଛରେ ପକାଇ ଦେଇଥିଲେ। ଗତ ସିଜନରେ ଲିଭରପୁଲ୍‌ ପାଇଁ ଖେଳିଥିବା ମାନେ ଗ୍ରୀଷ୍ଣଋତୁରେ ବେୟର୍ନ ମ୍ୟୁନିକ୍‌ରେ ଯୋଗ ଦେଇଛନ୍ତି। ଗତବର୍ଷ ରେକର୍ଡ ୭ମ ଥର ପାଇଁ ବାଲାନ ଡି’ଅର ପୁରସ୍କାର ଜିତିଥିବା ଲିଓନେଲ ମେସିଙ୍କ ନାମ ଏଥର ମନୋନୟନ ତାଲିକାରେ ସ୍ଥାନ ପାଇ ନ ଥିଲା। ପ୍ୟାରିସ ସେଣ୍ଟ ଜର୍ମେନ ଦଳ ପାଇଁ ସେ ପ୍ରଥମ ଥର ଖେଳୁଛନ୍ତି। ଚଳିତ ବର୍ଷ ପ୍ରଥମ ଥର ବାଲନ ଡି’ଆର ପୁରସ୍କାର ବିଗତ ସିଜନର ସଫଳତାକୁ ଭିତ୍ତି କରି ପ୍ରଦାନ କରାଯାଇଛି। ପୂର୍ବରୁ ଏହା କ୍ୟାଲେଣ୍ଡର ବର୍ଷ ପ୍ରଦର୍ଶନକୁ ଭିତ୍ତି କରି ଦିଆଯାଉଥିଲା। ସୂଚନାଯୋଗ୍ୟ, ଫ୍ରାନ୍ସ ଫୁଟ୍‌ବଲ ମାଗାଜିନ୍‌ ତରଫରୁ ବାଲନ ଡି’ଅର ପୁରସ୍କାର ପୁରୁଷ ଖେଳାଳିଙ୍କୁ ୬୬ବର୍ଷ ହେଲା ଦିଆଯାଇ ଆସୁଛି। ୨୦୧୮ରୁ ମହିଳା ଟ୍ରଫି ସୃଷ୍ଟି କରା ଯାଇଥିଲା। ରେମଣ୍ଡ କୋପା, ମିଶେଲ ପ୍ଲାଟିନି, ଜିନ୍‌ ପିଏରେ ପାପିନ୍‌ ଓ ଜିନେଡିନ୍‌ ଜିଡାନଙ୍କ ପରେ ବେଞ୍ଜେମା ୫ମ ଫ୍ରେଞ୍ଚ ଭାବେ ପୁରସ୍କାର ଲାଭ କରିଛନ୍ତି।

Share