ଜରାଜୀର୍ଣ୍ଣ ଅବସ୍ଥାରେ ଅଲେଖ ମଠ

ବ୍ରହ୍ମପୁର ଅଫିସ,୨୫।୧୨: ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକର ପଲ୍ଲୀଗୁମୁଳା ଗ୍ରାମରେ ଥିବା ମହିମା ଅଲେଖ ମଠ ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ହୋଇପଡ଼ିଛି। ଦିନ ଥିଲା ଏହି ମଠରେ ବହୁ ସନ୍ନ୍ୟାସୀଙ୍କ ଭିଡ଼ ଜମୁଥିଲା। ଶୂନ୍ୟବ୍ରହ୍ମଙ୍କ ଉପାସନା ଓ ଅଲେଖ ଧର୍ମର ପ୍ରଚାରପ୍ରସାର କରାଯାଉଥିଲା। ଆଖପାଖ ଅଞ୍ଚଳ ଭକ୍ତି ପରିବେଶ ସୃଷ୍ଟି ହେଉଥିଲା। ହେଲେ ଏବେ ମନ୍ଦିରଟି ଭଗ୍ନ ଅବସ୍ଥାକୁ ଆସି ଯାଇଥିବା ଓ ମନ୍ଦିର ପୁନରୁଦ୍ଧାର ହୋଇପାରୁ ନ ଥିବାରୁ ଶ୍ରଦ୍ଧାଳୁମାନେ ଇଚ୍ଛା ଥିଲେ ବି ଆସିପାରୁନାହାନ୍ତି।
ଢେଙ୍କାନାଳ ଜିଲାର ଯୋରନ୍ଦା ଗାଦି ଭଳି ପଲ୍ଲୀଗୁମୁଳା ମଠରେ ଅଲେଖ ଧର୍ମର ସମସ୍ତ ପର୍ବପର୍ବାଣି ପାଳନ କରାଯାଉଥିଲା। ପ୍ରତି ଚତୁର୍ଦ୍ଦଶୀରେ ବାଲ୍ୟଲୀଳା ଓ ଚୈତ୍ର ପୂର୍ଣ୍ଣମୀରେ ଏଠାରେ ବହୁ ମହିମା ଧର୍ମାବଲମ୍ବୀମାନେ ଆସି ଶୂନ୍ୟବ୍ରହ୍ମଙ୍କ ଉପାସନା କରୁଥିଲେ। ବର୍ତ୍ତମାନ ଏସବୁ ହେଉନାହିଁ। ମଠ ପରିସରରେ ଥିବା ଏକ ବିଶ୍ରାମଗୃହ, ରୋଷେଇଶାଳ ଭଗ୍ନ ଅବସ୍ଥାକୁ ଆସିଲାଣି। ସେହପରିି ଶୂନ୍ୟବ୍ରହ୍ମଙ୍କ ଉପାସନା ନିମନ୍ତେ ଥିବା ମନ୍ଦିରର ମଧ୍ୟ ସମାନ ଅବସ୍ଥା । ମନ୍ଦିର ପାଚେରିରେ ହୋଇଥିବା ବହୁ ସୁନ୍ଦର କାରୁକାର୍ଯ୍ୟ ଓ ଲିପିବଦ୍ଧ ହୋଇଥିବା ଧର୍ମବାଣୀଗୁଡ଼ିକର ଆଉ ଚିହ୍ନବର୍ଣ୍ଣ ଦେଖିବାକୁ ମିଳୁନାହିଁ।