Categories: ଖେଳ

ଫାଇନାଲରେ ଆଲ୍‌କାରେଜ, ରୁଡ୍‌

ନ୍ୟୁୟର୍କ,୧୧ା୯(ପି.ଟି): ୟୁଏସ୍‌ ଓପନ ଫାଇନାଲରେ ପ୍ରବେଶ କରିଛନ୍ତି କାସ୍ପର ରୁଡ୍‌ ଓ କାର୍ଲୋସ ଆଲ୍‌କାରେଜ। ନରଓ୍ବେର କାସ୍ପର ରୁଡ୍‌ ଏକ ୫୫ ଶଟର ରାଲି ସହିତ ଫାଇନାଲରେ ପ୍ରବେଶ କରିଛନ୍ତି। ଲମ୍ବା ରାଲି ସହିତ ଚଳିତ ବର୍ଷର ନିଜର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଫାଇନାଲରେ ପ୍ରବେଶ କରିଥିଲେ ୨୩ ବର୍ଷୀୟ ରୁଡ୍‌। ବିଶ୍ୱ ମାନ୍ୟତାରେ ୨୩ ନମ୍ବର ରୁଷିଆର କାରେନ୍‌ ଖାଚାନୋଭଙ୍କୁ ୭-୬(୫), ୬-୨, ୫-୭ ଓ ୬-୨ରେ ପରାସ୍ତ କରି ସେ ଫାଇନାଲରେ ପ୍ରବେଶ କରିଛନ୍ତି। ଆର୍ଥର ଆଶେ ଷ୍ଟାଡିୟମରେ ଏହି ମ୍ୟାଚ ଶେଷ ହେବା ପରେ ପୂରା ଷ୍ଟାଡିୟମ ରୁଡ୍‌ଙ୍କ ନାମରେ ପ୍ରକମ୍ପିତ ହୋଇଥିଲା। ତେବେ ରୁଡ୍‌ଙ୍କୁ ଚିଡ଼େଇବା ପାଇଁ ଦର୍ଶକ ଏମିତି କରିଥିବା ଜଣାପଡ଼ିଥିଲା। ଫ୍ରେଞ୍ଚ ଓପନ ଫାଇନାଲରେ ନାଡାଲଙ୍କ ନିକଟରୁ ପରାଜିତ ହେବା ପରେ ୟୁଏସ୍‌ ଓପନ ମୋ ପାଇଁ ସବୁଠୁ ଖୁସିର ମୁହୂର୍ତ୍ତ ପାଲଟିଛି। ପ୍ରଥମ ସେଟଟି ଟାଇବ୍ରେକରକୁ ଯାଇଥିଲା। ଏହି ସେଟ୍‌ରେ ଗୋଟିଏ ପଏଣ୍ଟ ପାଇଁ ୫୫ଶଟର ଲମ୍ବା ରାଲି ଦେଖିବାକୁ ମିଳିଥିଲା। ଏହି ରାଲିକୁ ଜିତିନେବା ସହିତ ମ୍ୟାଚକୁ ନିଜ ଆଡକୁ ମୋଡି ଦେଇଥିଲେ ରୁଡ୍‌। ରବିବାର ଖେଳାଯିବାକୁ ଥିବା ଫାଇନାଲରେ ସ୍ପେନର କାର୍ଲୋସ ଆଲ୍‌କାରେଜ ଗାର୍ଫିଆଙ୍କୁ ଭେଟିବେ ରୁଡ୍‌। ଅନ୍ୟ ଏକ ସେମିଫାଇନାଲରେ ସ୍ଥାନୀୟ ଖେଳାଳି ଫ୍ରାନ୍ସେସ ଟିଆଫୋଙ୍କୁ କଡା ସଂଘର୍ଷପୂର୍ଣ୍ଣ ୫ସେଟ ବିଶିଷ୍ଟ ମୁକାବିଲାରେ ପରାସ୍ତ କରିଥିଲେ କାର୍ଲୋସ ଆଲ୍‌କାରେଜ ଗାର୍ଫିଆ। ସେ ୬-୭(୬-୮), ୬-୩, ୬-୧, ୬-୭(୫-୭), ୬-୩ରେ ଏହି ମ୍ୟାଚକୁ ଜିତି ନେଇଥିଲେ । ନାଡାଲଙ୍କୁ ପରାସ୍ତ କରିଥିବା ଟିଆଫୋ ପ୍ରଥମ ଏବଂ ତୃତୀୟ ସେଟ୍‌ ଜିତିଥିବା ବେଳେ ଉଭୟ ସେଟ୍‌କୁ ଟାଇବ୍ରେକରରେ ଜିତିଥିଲେ। ଏହି ମ୍ୟାଚଟି ୪ ଘଣ୍ଟା ୧୯ ମିନିଟ ଧରି ଖେଳାଯାଇଥିଲା। ମାତ୍ର ୧୯ ବର୍ଷ ବୟସରେ ଫାଇନାଲରେ ପହଞ୍ଚି ପିଟ୍‌ ସାମ୍ପ୍ରାସଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି ଆଲ୍‌କାରେଜ। ଓପନ୍‌ ଏରାରେ ଏକମାତ୍ର ଖେଳାଳି ଭାବେ ପିଟ୍‌ ସାମ୍ପ୍ରାସ ଫାଇନାଲରେ ପ୍ରବେଶ କରିଥିଲେ। ରବିବାର ଖେଳାଯିବାକୁ ଥିବା ଫାଇନାଲରେ ଜିତିଲେ କାସ୍ପର ରୁଡ୍‌ ଏଟିପି ର଼୍ୟାଙ୍କିଙ୍ଗରେ ପ୍ରଥମ ସ୍ଥାନକୁ ଉନ୍ନୀତ ହେବେ।

Share