ଦାରିଙ୍ଗବାଡି, ୯।୬ (ଅରୁଣ ସାହୁ): ସଡ଼କ ଦୁର୍ଘଟଣା ହ୍ରାସ କରିବା ସହ ଦୁର୍ଘଟଣାରେ ପୀଡ଼ିତ ପରିବାରମାନେ ଯଥୋଚିତ ନ୍ୟାୟ ଏବଂ ବୀମା ରାଶି ପାଇପାରନ୍ତୁ, ସେଥିପାଇଁ ଦାରିଙ୍ଗବାଡି ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଯାଞ୍ଚ ଅଭିଯାନ (ସ୍ପେଶାଲ ଡ୍ରାଇଭ୍) ଚାଲୁ ରହିଛି।
ଏହି ଅଭିଯାନ ଅନ୍ତର୍ଗତ ପୋଲିସ ପକ୍ଷରୁ ପ୍ରତିଦିନ ବିଭିନ୍ନ ସ୍ଥାନରେ ବ୍ଲକିଂ କରାଯାଇ ଗାଡ଼ିମୋଟର ଯାଞ୍ଚ କରାଯାଉଛି। ବିଶେଷକରି ଗାଡ଼ିର ଇନ୍ସ୍ୟୁରାନ୍ସ, ଡ୍ରାଇଭିଂ ଲାଇସେନ୍ସ, ଫିଟନେସ୍ ସାର୍ଟିଫିକେଟ୍, ହେଲମେଟ ବ୍ୟବହାର ଏବଂ ସିଟ୍ବେଲ୍ଟ ପିନ୍ଧିବା ଆଦି ନିୟମକୁ କଡ଼ାକଡ଼ି ଭାବେ ଯାଞ୍ଚ କରାଯାଉଛି।
ଦାରିଙ୍ଗବାଡି ଥାନା ଆଇଆଇସି ସଂଗ୍ରାମ କେଶରୀ ଜେନାଙ୍କ ନେତୃତ୍ୱରେ ପୋଲିସ ଟିମ୍ ଗୋପାଳପୁର–ରାୟପୁରକୁ ସଂଯୋଗ କରୁଥିବା ୫୯ ନମ୍ବର ଜାତୀୟ ରାଜପଥରେ, ଦାରିଙ୍ଗବାଡିରୁ ସିମନବାଡ଼ି ମଧ୍ୟରେ ଗାଡ଼ିମୋଟର ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ଆବଶ୍ୟକ କାଗଜପତ୍ର ନଥିବାରୁ ୭ଟି ଅଟୋରିକ୍ସା ଏବଂ ୫ଟି ମୋଟରସାଇକେଲକୁ ଜବତ କରାଯାଇ ଥାନାକୁ ଅଣାଯାଇଛି।
ଆଇଆଇସି ଶ୍ରୀ ଜେନା ସୂଚନା ଦେଇଛନ୍ତି ଯେ, ଜବତ ହୋଇଥିବା ଗାଡ଼ିଗୁଡ଼ିକର ଇନ୍ସ୍ୟୁରାନ୍ସ ସମେତ ଅନ୍ୟାନ୍ୟ ଆବଶ୍ୟକ କାଗଜପତ୍ର ଅପଡେଟ୍ କରାଯିବା ପରେ ସମ୍ପୃକ୍ତ ଗାଡ଼ିମାଲିକଙ୍କୁ ଗାଡ଼ି ହସ୍ତାନ୍ତର କରାଯିବ।
ଉଲ୍ଲେଖଯୋଗ୍ୟ ଯେ, ଏହା ପୂର୍ବରୁ ମଧ୍ୟ ଦାରିଙ୍ଗବାଡି ପୋଲିସ ଇନ୍ସ୍ୟୁରାନ୍ସ ନଥିବା ଅଭିଯୋଗରେ ୧୨ଟି ଅଟୋରିକ୍ସାକୁ ଜବତ କରିଥିଲା। ସଡ଼କ ସୁରକ୍ଷା ନିୟମ ପ୍ରତି ସଚେତନତା ବୃଦ୍ଧି ଏବଂ ଦୁର୍ଘଟଣା ରୋକିବା ଉଦ୍ଦେଶ୍ୟରେ ଏଭଳି ଯାଞ୍ଚ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।