ଜମିକୁ ଯାଇଥିଲେ ଅକ୍ରୁର: ଆକ୍ରମଣ କଲା ହାତୀ, ଆଉ ତା’ପରେ…

କେସିଙ୍ଗା,୨୫।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବନଖଣ୍ଡ ଅଧୀନ ସିରୋଲ ଗ୍ରାମପଞ୍ଚାୟତର ପୋଢ଼ଖମ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଅକ୍ରୁର ହେର୍ନା (୫୦)।

ସୂଚନା ଅନୁଯାୟୀ, ଅକ୍ରୁର ଗୁରୁବାର ରାତି ପ୍ରାୟ ୯ଟା ସମୟରେ ନିଜ ଜମିକୁ ଯାଇଥିଲେ। ଏହି ସମୟରେ ଅନ୍ଧାରରେ ସେ ହାତୀଟିକୁ ଦେଖିପାରି ନ ଥିଲେ। ହଠାତ୍‌ ଜଙ୍ଗଲ ଭିତରୁ ଏକ ହାତୀ ଦୌଡ଼ି ଆସି ଅକ୍ରୁରଙ୍କୁ ଆକ୍ରମଣ କରିଥିଲା। ହାତୀଟି ତାଙ୍କୁ ଦଳି ଦେବାରୁ ଘଟଣାସ୍ଥଳରେ ହିଁ ଅକ୍ରୁରଙ୍କ ମୃତ୍ୟୁ ଘଟିଥିଲା।

ଘଟଣା ସମ୍ପର୍କରେ ପରିବାର ପକ୍ଷରୁ ବନ ବିଭାଗକୁ ଖବର ଦିଆଯାଇଥିଲା। ପ୍ରବଳ ବର୍ଷା ସତ୍ତ୍ୱେ ବନ ବିଭାଗର ବନପାଳ ଯଶୋବନ୍ତ ନାଏକଙ୍କ ସମେତ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ସ୍ଥାନୀୟ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା। ବିଳମ୍ବିତ ରାତିରେ ମୃତଦେହକୁ ଉଦ୍ଧାର କରାଯାଇ ପ୍ରାୟ ରାତି ୧ଟା ସମୟରେ ଶବ ବ୍ୟବଚ୍ଛେଦ ପାଇଁ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିବା ଜଣାପଡ଼ିଛି। ମୃତ ଅକ୍ରୁରଙ୍କ ପରିବାରରେ ତିନି ଝିଅ ଓ ଜଣେ ପୁଅ ଅଛନ୍ତି। ସେ ପରିବାରର ଏକମାତ୍ର ରୋଜଗାରିଆ ଥିବାରୁ ତାଙ୍କ ମୃତ୍ୟୁ ପରେ ପରିବାର ଆର୍ଥିକ ସଙ୍କଟରେ ପଡ଼ିଛି।

ସରକାରୀ ନିୟମ ଅନୁଯାୟୀ, ହାତୀ ଆକ୍ରମଣରେ ମୃତ୍ୟୁ ଘଟଣାରେ ମିଳୁଥିବା କ୍ଷତିପୂରଣ ବାବଦରେ ମୃତକଙ୍କ ପରିବାରକୁ ପ୍ରାୟ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ବନପାଳ ଯଶୋବନ୍ତ ନାଏକଙ୍କ ସୂଚନା ଅନୁଯାୟୀ, ନିୟମ ଅନୁସାରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ରାଶି ପ୍ରଦାନ କରାଯିବ।

ଏପଟେ କେସିଙ୍ଗା ତହସିଲଦାର ପ୍ରଶାନ୍ତ ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ରେଡକ୍ରସ ପକ୍ଷରୁ ଶୁକ୍ରବାର ମୃତକଙ୍କ ପରିବାରକୁ ୩୦ ହଜାର ଟଙ୍କା ତତ୍କାଳ ସହାୟତା ଭାବେ ପ୍ରଦାନ କରାଯାଇଛି। ପ୍ରବଳ ବର୍ଷା ସତ୍ତ୍ୱେ ବନ ବିଭାଗର ଅଧିକାରୀ ଓ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ତଦନ୍ତ କରିଥିବାରୁ ସ୍ଥାନୀୟ ଗ୍ରାମବାସୀ ବନ ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି।

 

Dharitri – Odisha’s No.1 Odia Daily

 

Share