Categories: ଗଞ୍ଜାମ

ପୁରୁଷୋତ୍ତମପୁରରେ ଅଖିମୁଠି ଅନୁକୂଳ: ଚଷା ଗୀତରେ ପ୍ରକମ୍ପିତ ହେଲା ଅଞ୍ଚଳ

ପୁରୁଷୋତ୍ତମପୁର, ୨୩/୪(ଡିଏନଏ) ପବିତ୍ର ଅକ୍ଷୟ ତୃତୀୟାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳର ଚାଷୀକୁଳ । ଚଷାପୁଅମାନଙ୍କ ସୁନ୍ଦର ସୁନ୍ଦର ଚଷା ଗୀତରେ ପ୍ରକମ୍ପିତ ହୋଇଛି ସମଗ୍ର ଅଞ୍ଚଳ। କୃଷକମାନେ ଅତି ଆନନ୍ଦ ଉଲ୍ଲାସରେ କ୍ଷେତକୁ ଯାଇ ବିଭିନ୍ନ ଚଷା ଗୀତର ତାଳେ ତାଳେ ହଳ ଲଙ୍ଗଳ ଧରି ଚାଷ କାର୍ଯ୍ୟ ଆରମ୍ଭ କରିଛନ୍ତି। ସେହିକ୍ରମରେ ପୁରୁଷୋତ୍ତମପୁର ସ୍ବପ୍ନେଶ୍ବର କୃଷକ ସଂଘ ପକ୍ଷରୁ ସଭାପତି ଆଇ ମୁକୁନ୍ଦ ରାଓଙ୍କ ତତ୍ତ୍ୱାବଧାନରେ ଅକ୍ଷୟ ତୃତୀୟା ପାଳିତ ହୋଇଯାଇଛି । ଏହି ଅବସରରେ ଅତିଥିଭାବେ ପୁରୁଷୋତ୍ତମପୁର ତହସିଲଦାର ସନ୍ତୋଷ କୁମାର ସାହୁ, ବିଡ଼ିଓ ବିଜୟ କୁମାର ବେହେରା, ବ୍ଲକ୍‌ କୃଷି ଅଧିକାରୀ ଡ. ପ୍ରମୋଦ କୁମାର ମହାପାତ୍ର ଯୋଗ ଦେଇ ହଳ ଲଙ୍ଗଳ ଧରି ଜମିରେ ଚାଷ କରିବା ସହ ଅଖିମୁଠି ଅନୁକୁଳ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । କୃଷି ଓ କୃଷକର କିଭଳି ଉନ୍ନତି ଘଟିବ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ ସବୁ ସୁବିଧା କୃଷକଙ୍କ ନିମନ୍ତେ ଯୋଗାଇ ଦିଆଯାଉଛି ସେ ନେଇ କୃଷକ ମାନଙ୍କୁ ସୂଚନା ଦେଇଥିଲେ। ଏହାସହିତ କିଭଳି ଚଳିତ ବର୍ଷ ଭଲ ଅମଳ ହୋଇପାରିବ ସେ ନେଇ ମଧ୍ୟ ରାଜ୍ୟ ସରକାର ଓ କୃଷି ବିଭାଗ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ରହିଛି ଓ କାହାରି କିଛି କୃଷିଜନିତ ସମସ୍ୟା ହୁଏ ତେବେ ତାହାର ସମାଧାନ କରିବା ନିମନ୍ତେ ପ୍ରଶାସନ ସମ୍ପୂର୍ଣ୍ଣ ସହଯୋଗ କରିବ ବୋଲି ସେ କହିଛନ୍ତି। ଏଥିରେ କୃଷକ ସଂଘର ସମ୍ପାଦକ କିଶୋର ଚନ୍ଦ୍ର ସାସମଲ, କୋଷାଧ୍ୟକ୍ଷ ରମେଶ ଚନ୍ଦ୍ର ଗୌଡ, ପ୍ରଶାନ୍ତ ବେହେରା, ଗଙ୍ଗାଧର ଗୌଡଙ୍କ ସମେତ ବହୁ ଚାଷୀ ଉପସ୍ଥିତ ରହି କାର୍ଯକ୍ରମକୁ ପରିଚାଳନା କରିଥିଲେ।