Categories: ଜାତୀୟ

ଆଜି ଅଖିଳେଶ ଯାଦବ, ସତିଶ ମିଶ୍ର ଯିବେ ଲକ୍ଷ୍ମୀପୁର ଖେରି, ସିଦ୍ଧୁ-ହରିଶ ରାୱତ ହଜାର ଗାଡି ନେଇ ପହଞ୍ଚିବେ

ଲକ୍ଷ୍ନୌ/ଚଣ୍ଡିଗଡ଼,୭ ।୧୦: ଲକ୍ଷ୍ମୀପୁର ଖେରି ଘଟଣାକୁ ନେଇ ବେଳକୁ ବେଳ ରାଜନୀତିର ଉଷ୍ମତା ବଢିବାରେ ଲାଗିଛି । ବୁଧବାର ବିଳମ୍ବିତ ରାତିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ଓ ଆଉ କେତେଜଣ ବରିଷ୍ଠ କଂଗ୍ରେସ ନେତା ମୃତକଙ୍କ ପରିବାରକୁ ଭେଟିଥିଲେ । ଗୁରୁବାର ପୁଣିଥରେ ସେଠାକୁ ନେତାଙ୍କ ଗସ୍ତକୁ ନେଇ ରାଜନୈତିକ ପରିବେଶ ହୋଇଛି ଉଷ୍ମ । ଗୁରୁବାର ସକାଳ ୧୦ଟାରେ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ମୃତକଙ୍କ ପରିବାରକୁ ଭେଟିବାକୁ ଯିବାର କାର୍ଯ୍ୟକ୍ରମ ଥିବା ବେଳେ ବହୁଜନ ସମାଜ ପାର୍ଟିର ମହାସଚିବ ତଥା ରାଜ୍ୟସଭା ଏମ୍‌ପି ସତିଶ ଚନ୍ଦ ମିଶ୍ର ବି ସକାଳ ୧୦ଟାରେ ନିଜ ଲକ୍ଷ୍ନୌ ବାସଭବନରୁ ବାହାରି ଲକ୍ଷ୍ମୀପୁର ଖେରି ଯିବାର କାର୍ଯ୍ୟକ୍ରମ ରହିଛି । ସେ ମଧ୍ୟ ମୃତକଙ୍କ ପରିବାରକୁ ଭେଟିବେ । ଏହାସହ ପଞ୍ଜାବର କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ଓ ହରିୟାଣାର ପୁର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ ବି ଲକ୍ଷ୍ମୀପୁର ଖେରି ଗସ୍ତ କରିବେ । ଏମାନେ ୧୦୦୦ ଗାଡିର ଏକ ରାଲି ସହ ଲକ୍ଷ୍ମୀପୁର ଖେରି ପହଞ୍ଚିବାର ଯୋଜନା ରଖିଛନ୍ତି । ଏମାନଙ୍କ ସହ ପଞ୍ଜାବ କଂଗ୍ରେସର ପ୍ରାୟ ବଡବଡ ନେତା ଓ କର୍ମୀମାନେ ମଧ୍ୟ ସେଠାକୁ ଗସ୍ତ କରିବେ । । ଏମାନେ ହରିୟାଣା ଦେଇ ଉତ୍ତର ପ୍ରଦେଶ ଯିବେ ବୋଲିି କହିଛନ୍ତି । ଯଦି ବାଟରେ ହରିୟାଣା ବା ୟୁପି ପୋଲିସ ସେମାନଙ୍କୁ ଅଟକାଏ ତେବେ ସେମାନେ ସେହିଠାରେ ହିଁ ବିରୋଧ ପ୍ରଦର୍ଶନ କରିବେ ବୋଲି କହିଛନ୍ତି ।

Share