Categories: ଜାତୀୟ

ଧାରଣାରେ ବସିଲେ ଅଖିଳେଶ…

ଲକ୍ଷ୍ନୌ, ୧୯।୯ : ଏସପି ଅଧ୍ୟକ୍ଷ ଅଖିଳେଶ ଯାଦବ ପାର୍ଟି ବିଧାୟକ ଏବଂ କର୍ମକର୍ତ୍ତାଙ୍କ ସହ ଦଳୀୟ କାର୍ଯ୍ୟାଳୟରୁ ବିଧାନ ଭବନ ଅଭିମୁଖେ ପଦଯାତ୍ରା ଆରମ୍ଭ କରିଛନ୍ତି। ପଦଯାତ୍ରା ସମୟରେ ରୁଟ ପରିବର୍ତ୍ତନକୁ ନେଇ ଦଳୀୟକର୍ମୀମାନେ ଅସନ୍ତୋଷ ବ୍ୟକ୍ତ କରିବା ସହିତ ପୂର୍ବ ନିର୍ଦ୍ଧାରିତ ମାର୍ଗରେ ଯିବାକୁ ଅଡ଼ି ବସିଥିଲେ।

ଅଖିଳେଶ ଯାଦବ କହିଛନ୍ତି ଯଦି ଏହାକୁ ବନ୍ଦ କରିବାକୁ ଥିଲା ତେବେ ଗତକାଲି କାହିଁକି ଅନୁମତି ଦିଆଗଲା? ପ୍ରଶାସନ କହିଛି ଯେ ଜିପିଓ ବଦଳରେ ଭିଭିଆଇପି ଗେଷ୍ଟ ହାଉସ ଏବଂ ଆନେକ୍ସ ଦେଇ ବିଧାନସଭାକୁ ଯିବା ଉଚିତ। ଏହା ଉପରେ ଅଖିଳେଶ ଯାଦବ ଏବଂ ଏସପି ବିଧାୟକ ଧାରଣାରେ ବସିଥିଲେ। ବିଧାୟକ ଓ କର୍ମୀମାନେ ସ୍ଲୋଗାନ ଦେବା ସହିତ ହାତରେ ପ୍ଲାକାର୍ଡ ଧରିଛନ୍ତି।

ମୁଦ୍ରାସ୍ଫୀତି ବୃଦ୍ଧି, କୃଷକଙ୍କ ସମସ୍ୟା ତଥା ଆଇନ ଶୃଙ୍ଖଳା ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ବିରୋଧରେ ଏସପି ଏହି ପଦଯାତ୍ରା ଆୟୋଜନ କରିଛି।

ପଦଯାତ୍ରାକୁ ଦୃଷ୍ଟିରେ ରଖି ବିକ୍ରମାଦିତ୍ୟ ମାର୍ଗକୁ ପୋଲିସ ଛାଉଣୀରେ ପରିଣତ କରାଯାଇଛି। ଭିଭିଆଇପି ଛକରୁ ଏସପି କାର୍ଯ୍ୟାଳୟ ପର୍ଯ୍ୟନ୍ତ ବ୍ୟାରିକେଡ କରି ବହୁ ସଂଖ୍ୟକ ଫୋର୍ସ ମୁତୟନ କରାଯାଇଛି। ଏହି ମାର୍ଗରେ ସାଧାରଣ ଜନତାଙ୍କ ଗତିବିଧି ବନ୍ଦ କରାଯାଇଛି।

Share