ଲକ୍ଷ୍ନୌ,୧୮।୬(ପି.ଟି.): ଆସନ୍ତାବର୍ଷ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଥିବାବେଳେ ଏବେ ମୁଖ୍ୟ ବିରୋଧୀ ଦଳ ସମାଜବାଦୀ ପାର୍ଟି (ଏସ୍ପି)ରେ ବଡ଼ ବିଭାଜନ ହେବାକୁ ଯାଉଥିବା ମନ୍ତ୍ରୀ ତଥା ସୁହେଲଦେବ ଭାରତୀୟ ସମାଜ ପାର୍ଟି (ଏସ୍ବିଏସ୍ପି) ଅଧ୍ୟକ୍ଷ ଓମ୍ ପ୍ରକାଶ ରାଜଭର ବୁଧବାର କହିଛନ୍ତି। ସମାଜବାଦୀ ପାର୍ଟିର ଅନେକ ନେତା ଭାଜପାରେ ଯୋଗଦେବାକୁ ପ୍ରସ୍ତୁତ ଥିବା ସେ ଦାବି କରିଥିଲେ। ତେବେ ଏସ୍ପି ଅଧ୍ୟକ୍ଷ ଅଖିଳେଶ ଯାଦବ ଉକ୍ତ ଅଭିଯୋଗକୁ ଖଣ୍ଡନ କରିବା ସହ ତାଙ୍କ ଦଳ ସୁଦୃଢ଼ ଥିବା କହିଛନ୍ତି। ଅନ୍ୟ ଦଳର ନେତାମାନଙ୍କୁ ପ୍ରଲୋଭନ ଦେଖାଇ କିମ୍ବା ଚାପ ପ୍ରୟୋଗ କରି ନିଜ ଦଳରେ ମିଶାଇବା କାର୍ଯ୍ୟରେ ଭାଜପାର ପୁରୁଣା ଅଭ୍ୟାସ ରହିଥିବା ଅଖିଳେଶ କହିଛନ୍ତି।
ସମାଜବାଦୀ ପାର୍ଟି ନେତା ରାମଗୋପାଳ ଯାଦବ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହାଙ୍କୁ ଏକ ପତ୍ର ଦେଇଥିବା ରାଜଭର Xରେ ଲେଖିତ୍ବାବେଳେ ଉକ୍ତ ଯୋଗାଯୋଗ ସମ୍ପର୍କିତ ସବିଶେଷ ବିବରଣୀ ଦେଇପାରି ନାହାନ୍ତି। ଦଳ ଭାଙ୍ଗିବା ସ୍ଥିତି କେବଳ ମହାରାଷ୍ଟ୍ର ଏବଂ ପଶ୍ଚିମବଙ୍ଗରେ ସୀମିତ ନାହିଁ, ସମ୍ପୂର୍ଣ୍ଣ ଏସ୍ପି ଏବେ ଭାଜପାରେ ମିଶିବା ପାଇଁ ପ୍ରସ୍ତୁତ ବୋଲି ଏସ୍ବିଏସ୍ପି ନେତା କହିଥିଲେ।