‘ଧୁମଧାମରେ ପାଳନ ହେବ ଆଖଡ଼ା ଯାତ୍ରା’

ବାଲେଶ୍ୱର, ୧୪।୧୦(ମାନସ ବିଶ୍ୱାଳ): ବାଲେଶ୍ୱର ସହର ମିଶନ ପଡ଼ିଆ ସମ୍ମୁଖସ୍ଥ ଏକ ହୋଟେଲ ସମ୍ମିଳନୀ କକ୍ଷରେ ଜିଲା ଯାଦବ (ଗୋପାଳ) ମହାସଭା ବାଲେଶ୍ୱର ପକ୍ଷରୁ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ବିଚାରପତି ଭାଗିରଥ ବାରିକ ଅଧ୍ୟକ୍ଷତା କରିଥିଲେ। ସମ୍ମିଳନୀରେ ଜିଲାର ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଆଗାମୀ ଦୁର୍ଗାପୂଜା ଉପଲକ୍ଷେ ଚଳିତବର୍ଷ ମଧ୍ୟ ଆଖଡ଼ା ଯାତ୍ରାକୁ ଧୁମ୍‌ଧାମ୍‌ରେ ପାଳନ କରାଯିବା ନେଇ ସୂଚନା ଦିଆଯାଇଥିଲା। ଜିଲାର ଏକମାତ୍ର ପଞ୍ଜିକୃତ ଯାଦବ (ଗୋପାଳ) ସଙ୍ଗଠନ ଆଗାମୀ ଦିନରେ ଯାଦବ ତଥା ଗୋପାଳ ଜାତିର ସାମ୍ବିଧାନିକ ଉନ୍ନତି ନିମନ୍ତେ ସଙ୍ଗଠନକୁ ଆହୁରି ସୁଦୃଢ଼ କରିବା ସହ ନୂତନ ପରିବର୍ଦ୍ଧିତ କମିଟି ଆଗାମୀ ଜିଲା ସମ୍ମିଳନୀରେ ଘୋଷଣା କରାଯିବା ନେଇ ସୂଚନା ଦିଆଯାଇଥିଲା। ଜିଲା ଯାଦବ (ଗୋପାଳ) ମହାସଭା, ବାଲେଶ୍ୱର ତାର ପରବର୍ତ୍ତୀ ରଣକୌଶଳ ସର୍ବଭାରତୀୟସ୍ତରୀୟ ସଂଗଠନ ‘ଅଖିଳ ଭାରତୀୟ ଯାଦବ ମହାସଭା’ ସହ ଅନୁବନ୍ଧିତ ହୋଇ ଆଗକୁ ବଢ଼ିବାର ସୂଚନା ଦିଆଯାଇଛି। ଏଥିସହିତ ଜିଲା ତଥା ଉତ୍ତର ଓଡ଼ିଶାରେ ପ୍ରଥମଥର ପାଇଁ ଏକ ଯାଦବଭବନର ଉଦ୍‌ଘାଟନ ଅଳ୍ପ ଦିନ ମଧ୍ୟରେ ହେବ ବୋଲି ସୂଚନା ଦିଆଯାଇଛି। ଏହି ଅବସରରେ ସଙ୍ଗଠନର ଯୁବ ସଙ୍ଗଠକ ଇଂ. ରାଜେଶ ମହାକୁଡ଼ଙ୍କୁ ଭାଜପା ଯୁବ ମୋର୍ଚ୍ଚାର ରାଜ୍ୟ କୋଷାଧ୍ୟକ୍ଷ, କୈଳାଶ ବାରିକଙ୍କୁ ଭାଜପା କୃଷକ ମୋର୍ଚ୍ଚାର ରାଜ୍ୟ ସଂଯୋଜକ ଓ ୩୭ନମ୍ବର ଜୋନର ଜିଲା ପରିଷଦ ସଦସ୍ୟା କଲ୍ୟାଣୀ ବାରିକଙ୍କୁ ସଙ୍ଗଠନ ତରଫରୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ସହ ସମ୍ବର୍ଦ୍ଧିତ କରାଯାଇଥିଲା।