ଆକାଶଙ୍କୁ କ୍ରାଇମ୍‌ବ୍ରାଞ୍ଚର ମାରାଥନ ଜେରା

ଭୁବନେଶ୍ୱର,୧୨।୧୨(ବ୍ୟୁରୋ): ଆୟବହିର୍ଭୂତ ସମ୍ପତ୍ତି ଠୁଳ ଓ ଠକେଇ ଅଭିଯୋଗରେ ଜେଲ ଯାଇଥିବା ଆଇଏଫ୍‌ଏସ୍‌ ଅଧିକାରୀ ତଥା ନିଲମ୍ବିତ ଅତିରିକ୍ତ ପିସିସିଏଫ୍‌ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶଙ୍କୁ ୫ ଦିନିଆ ରିମାଣ୍ଡରେ ଆଣିଛି କ୍ରାଇମବ୍ରାଞ୍ଚ। ତେବେ ଟାଟା କମ୍ପାନୀରେ ଚାକିରି ଦେବା ନାଁରେ ଜାଲିଆତି କରି ଠକେଇ ମାମଲାରେ ଆକାଶଙ୍କୁ ଶୁକ୍ରବାରଠାରୁ ମାରାଥନ ଜେରା ଆରମ୍ଭ ହୋଇଛି। ଆକାଶ ନିଜକୁ ଟାଟା ମୋଟର୍ସର ପାସେଞ୍ଜର ଡିଭିଜନର ଏମ୍‌ଡି ପରିଚୟ ଦେବା ସହ ଚାକିରି ଦେବାକୁ କହି ଯୁବତୀଯୁବକଙ୍କଠାରୁ ବହୁ କୋଟି ଟଙ୍କା ଠକେଇ କରିଥିବା ନେଇ ଅଭିଯୋଗ ହୋଇଥିଲା। ଟାଟା କମ୍ପାନୀର ଏମଡି ଆଇକାର୍ଡ ହାତେଇବା ଓ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଆକଣ୍ଟରୁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଟ୍ରାନ୍ସଫର ନେଇ କ୍ରାଇମବ୍ରାଞ୍ଚର ଅଧିକାରୀମାନେ ଘନଘନ ଜେରା କରିଛନ୍ତି। ତେବେ ଆକାଶଙ୍କଠାରୁ କିଛି ନୂଆ ତଥ୍ୟ ମିଳିଥିବା ସୂଚନା ମିଳିଛି। ଏହା ପୂର୍ବରୁ ଆକାଶଙ୍କ ବ୍ୟକ୍ତିଗତ ସହାୟକ ପିଟର ଡେଭିଡ୍‌ଙ୍କୁ ପଚରାଉଚରାବେଳେ ପାଠକ ପରିବାର ଓ ପ୍ରଦୀପଙ୍କ ସଂକ୍ରାନ୍ତରେ ଅନେକ ଗୁମର ଖୋଲିଥିଲେ। ଡେଭିଡ୍‌ଙ୍କ ବୟାନକୁ ଆଧାର କରି କ୍ରାଇମବ୍ରାଞ୍ଚ ଆକାଶଙ୍କୁ ଗୁଡାଇ ତୁଡାଇ ପ୍ରଶ୍ନ କରିଥିବା ଜଣାପଡିଛି। ସୂଚନାଯୋଗ୍ୟ, ଏହାପୂର୍ବରୁ ଗତ ୩ ତାରିଖରେ ୩ଦିନିଆ ରିମାଣ୍ଡରେ ଆସିଥିଲେ ପାଠକ ବାପପୁଅ।