ଷ୍ଟାଟସ୍‌ ପାଇଁ ଠକେଇ କରୁଥିଲେ ଆକାଶ

ଭୁବନେଶ୍ୱର,୫।୧୨(ବ୍ୟୁରୋ): ଭିଜିଲାନ୍ସର ମାରାଥନ ଜେରାବେଳେ ସତ ମାନିଛନ୍ତି ନିଲମ୍ବିତ ଆଇଏଫ୍‌ଏସ୍‌ ଅଫିସର ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ। ଷ୍ଟାଟସ୍‌ ଦେଖାଇବାକୁ ସେ ଟାଟା ମୋର୍ଟସର ପାସେଞ୍ଜର ଡିଭିଜନର ପରିଚାଳନା ନିର୍ଦ୍ଦେଶକ ଥିବା ନେଇ ଜାଲ୍‌ କାଗଜପତ୍ର ପ୍ରସ୍ତୁତ କରିଥିଲେ। ଏହା ମାଧ୍ୟମରେ ଚାକିରି ଦେବାକୁ କହି ଅନ୍ୟମାନଙ୍କଠାରୁ ଟଙ୍କା ଆଦାୟ କରୁଥିଲେ ବୋଲି ଶୁକ୍ରବାର ଆକାଶ ଭିଜିଲାନ୍ସ ଅଧିକାରୀଙ୍କ ଆଗରେ ସ୍ବୀକାର କରିଛନ୍ତି। ଆକାଶଙ୍କ ଏପରି ବୟାନ ପରେ ତାଙ୍କ ଭାବି ଶ୍ୱଶୁର ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ମନ୍ତବ୍ୟକୁ ନେଇ ପ୍ରଶ୍ନ ଉଠିଛି। ଠକେଇ, ଜାଲିଆତି, ଆପରାଧିକ ଷଡ଼ଯନ୍ତ୍ର ଓ ସାଇବର ଅପରାଧରେ ଗିରଫ ହୋଇଥିବା ବିଧାୟକ ପାଣିଗ୍ରାହୀ ଏହା ପୂର୍ବରୁ ଭାବି ଜ୍ୱାଇଁ ଆକାଶ ଟାଟା ମୋର୍ଟସରେ ଚାକିରି କରିଥିବାନେଇ କହିଥିଲେ। କେବଳ ବ୍ରହ୍ମପୁର ଗୋପାଳପୁରର ୬୦ରୁ ଅଧିକ ବିସ୍ଥାପିତଙ୍କୁ ଟାଟା କମ୍ପାନୀରେ ଚାକିରି ଲୋଭ ଦେଖାଇ ସେମାନଙ୍କଠାରୁ ମୋଟା ଅଙ୍କର ଟଙ୍କା ନେଇଥିଲେ ଆକାଶ। ଆଉ ଏଥିରେ ବିଧାୟକ ପାଣିଗ୍ରାହୀ ସହଯୋଗ କରିଥିବାନେଇ ଅଭିଯୋଗ ରହିଥିବାରୁ ଏବେ ଏହାର ଲିଙ୍କ୍‌ ପାଇଛି ଭିଜିଲାନ୍ସ। ବର୍ତ୍ତମାନ ସୁଦ୍ଧା ଆକାଶଙ୍କ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରୁ ୧୬ କୋଟି ୫ ଲକ୍ଷ ଟଙ୍କା ଠାବ ହୋଇଛି। ତେବେ ଆକାଶଙ୍କ ଆକାଉଣ୍ଟକୁ ଏତେ ଟଙ୍କା କେଉଁଠୁ ଆସୁଥିଲା ତା’ର ତଦନ୍ତ ଦାୟିତ୍ୱ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନେଇଥିବାବେଳେ ଠକେଇକୁ ନେଇ ପ୍ରମାଣ ଧୀରେ ଧୀରେ ଦୃଢ଼ୀଭୂତ କରୁଛି ଭିଜିଲାନ୍ସ।