Categories: ଜାତୀୟ

ବିଦେଶକୁ ରପ୍ତାନି ହେବ ‘ଆକାଶ’

ନୂଆଦିଲ୍ଲୀ, ୩୧।୧୨(ଆଇଏଏନ୍‌ଏସ୍‌): ଭାରତର ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଆକାଶ ମିସାଇଲ୍‌ ସିଷ୍ଟମ୍‌ ବିଦେଶକୁ ରପ୍ତାନି ହେବ। ବୁଧବାର କେନ୍ଦ୍ର କ୍ୟାବିନେଟ ଏହି ପ୍ରସ୍ତାବକୁ ଅନୁମୋଦନ କରିଥିବା ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ୨୫ କିଲୋମିଟର ଲକ୍ଷ୍ୟଭେଦ କ୍ଷମତା ବିଶିଷ୍ଟ ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଇପାରୁଥିବା ଏହି କ୍ଷେପଣାସ୍ତ୍ର ଡିଆର୍‌ଡିଓ ପ୍ରସ୍ତୁତ କରିଛି। ଭାରତର ପ୍ରଥମ ସ୍ବଦେଶୀ ଡିଜାଇନରେ ନିର୍ମିତ ଏହି ମିସାଇଲ୍‌ ସିଷ୍ଟମ ଯୁଦ୍ଧବିମାନ, କ୍ରୁଜ୍‌ କ୍ଷେପଣାସ୍ତ୍ର, ଡ୍ରୋନ୍‌ ଓ ଆକାଶମାର୍ଗର ଅନ୍ୟ ଯାନକୁ ଟାର୍ଗେଟ କରିପାରିବ। ୨୦୧୪ରେ ଏହା ଭାରତୀୟ ବାୟୁସେନା ଏବଂ ୨୦୧୫ରେ ସ୍ଥଳସେନାରେ ନିୟୋଜିତ ହୋଇଥିଲା।
ଆତ୍ମନିର୍ଭର ଭାରତରେ ଦେଶର ପ୍ରତିରକ୍ଷା ଉତ୍ପାଦନ ସାମର୍ଥ୍ୟ ବୃଦ୍ଧି ପାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ କେବଳ ପ୍ରତିରକ୍ଷା ସରଞ୍ଜାମର କେତେକ ଯନ୍ତ୍ରାଂଶ ରପ୍ତାନି କରୁଥିଲା। ଏବେ ମିସାଇଲ ସିଷ୍ଟମ୍‌ ରପ୍ତାନି ନିଷ୍ପତ୍ତି ଦେଶର ପ୍ରତିରକ୍ଷା ଉପକରଣ ବିକାଶରେ ସହାୟକ ହେବା ସହ ଏହାକୁ ବିଶ୍ୱସ୍ତରରେ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ କରିପାରିବ ବୋଲି ରାଜନାଥ କହିଛନ୍ତି। ପ୍ରତିରକ୍ଷା ରପ୍ତାନିରୁ ଅଧିକ ରାଜସ୍ବ ସଂଗ୍ରହ ହେବ। ଆକାଶ କ୍ଷେପଣାସ୍ତ୍ର କିଣିବା ପାଇଁ କେତେକ ବନ୍ଧୁ ରାଷ୍ଟ୍ର ଡିଫେନ୍ସ ଏକ୍ସପୋ ଏବଂ ଏରୋ ଇଣ୍ଡିଆ ଶୋ’ ବେଳେ ଆଗ୍ରହ ପ୍ରକାଶ କରିଥିଲେ। ରପ୍ତାନି ହେବାକୁ ଥିବା ଆକାଶ ଭାରତୀୟ ସେନାରେ ନିୟୋଜିତ କ୍ଷେପଣାସ୍ତ୍ରଠାରୁ ଭିନ୍ନ ହେବ। ଭାରତରୁ ଉପକୂଳ ସର୍ଭିଲାନ୍ସ ସିଷ୍ଟମ, ରାଡାର ଓ ଏୟାର ପ୍ଲାଟଫର୍ମ କିଣିବା ପାଇଁ ମଧ୍ୟ କେତେକ ରାଷ୍ଟ୍ର ଆଗ୍ରହୀ ଅଛନ୍ତି। ଏସବୁର ତ୍ୱରିତ୍‌ ଅନୁମୋଦନ ଲାଗି ପ୍ରତିରକ୍ଷା ମନ୍ତ୍ରୀ, ବହିର୍ବ୍ୟାପାର ମନ୍ତ୍ରୀ ଓ ଜାତୀୟ ସୁରକ୍ଷା ଉପଦେଷ୍ଟାଙ୍କୁ ନେଇ ଏକ କମିଟି ଗଢ଼ାଯାଇଛି। ୫ ବିଲିୟନ ଡଲାର ମୂଲ୍ୟର ପ୍ରତିରକ୍ଷା ସାମଗ୍ରୀ ରପ୍ତାନି ସାଙ୍ଗକୁ ବନ୍ଧୁ ରାଷ୍ଟ୍ରଗୁଡ଼ିକ ସହ ରଣନୀତିକ ସମ୍ପର୍କ ବୃଦ୍ଧି ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି।

Share