ଖ୍ରୀଷ୍ଟଚର୍ଚ୍ଚ, ୨୭।୧୧: ୱେଲିଂଟନ ଟେଷ୍ଟରେ ଭାରତୀୟ ବୋଲର ପ୍ରଥମ ଦିନର ପ୍ରଥମ ସେସନରେ ଘାତକ ବୋଲିଂ କରିଥିବାବେଳେ ଖ୍ରୀଷ୍ଟଚର୍ଚ୍ଚ ଟେଷ୍ଟରେ ଦ୍ୱିତୀୟ ସେସନରେ ଦେଖିବାକୁ ମିଳିଛି ସେହି ଦମ। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ଉଇକେଟ ପାଇଁ ଭାରତୀୟ ବୋଲରଙ୍କୁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ିଥିଲା। ପ୍ରଥମ ସେସନ ମାତ୍ର ଗୋଟିଏ ଉଇକେଟ ସହ ଶେଷ ହୋଇଥିଲା। କିନ୍ତୁ ଦ୍ୱିତୀୟ ସେସନରେ ଭାରତୀୟ ଦଳ ଜୋରଦାର ପ୍ରତ୍ୟାବର୍ତ୍ତନ କରିଥିଲା। ଆକାଶ ଦୀପ ଓ ଅଂଶୁଲ କାମ୍ବୋଜ ମିଶି ଲଗାତାର ୩ ଓଭରରେ ୩ଟି ଉଇକେଟ ନେଇ ନ୍ୟୁଜିଲାଣ୍ଡକୁ ବଡ଼ ଝଟ୍କା ଦେଇଥିଲେ।
ହେଗଲି ଓଭାଲରେ ପ୍ରଥମ ପାଳି ଆରମ୍ଭ କରି ନ୍ୟୁଜିଲାଣ୍ଡ ଭଲ ଆରମ୍ଭ କରିଥିଲା। ଅଧିନାୟକ ଟମ ଲାଥମ ଓ ଡେଭନ କନୱେଙ୍କ ଓପନିଂ ଯୋଡ଼ି ୭୭ ରନ ସଂଗ୍ରହ କରିଥିଲା। ଏହି ସମୟରେ ଲାଥମଙ୍କୁଏକ ଜୀବନଦାନ ମଧ୍ୟ ମିଳିଥିଲା। କେଏଲ ରାହୁଲ ତାଙ୍କ କ୍ୟାଚ ଛାଡ଼ି ଦେଇଥିଲେ। ଏହାର ଫାଇଦା ଉଠାଇ ଦୁଇ ବ୍ୟାଟର ଅର୍ଦ୍ଧଶତକୀୟ ଭାଗୀଦାରି କରିଥିଲେ। ପ୍ରଥମ ସେସନ୍ର ଶେଷ ବଲ୍ରେ ଏହି ଯୋଡ଼ି ଭାଙ୍ଗିଥିଲା। ଡେବ୍ୟୁ କରୁଥିବା ଦ୍ରୁତ ବୋଲର ଗୁରନୁର ବରାର କନୱେଙ୍କୁ ଆଉଟ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ।
ଉଇକେଟ ପଡ଼ିଥିଲେ ମଧ୍ୟ ନ୍ୟୁଜିଲାଣ୍ଡ ଭଲ ସ୍ଥିତିରେ ଥିଲା। ଦ୍ୱିତୀୟ ସେସନ୍ରେ ମଧ୍ୟ ଏହି ଧାରା ଜାରି ରହିଥିଲା। ଲାଥମ ନିଜ ଅର୍ଦ୍ଧଶତକ ପୂରଣ କରିବା ସହ ହେନରୀ ନିକୋଲ୍ସଙ୍କ ସହ ମିଶି ଦଳର ସ୍କୋରକୁ ୧୦୦ ରନ ପାର କରାଇଥିଲେ। ଭାରତକୁ ଉଇକେଟର ଆବଶ୍ୟକତା ଥିବା ବେଳେ ୪୨ତମ ଓଭରରୁ ଆରମ୍ଭ ହୋଇଥିଲା ଦଳର ପ୍ରତ୍ୟାବର୍ତ୍ତନ। ଆକାଶ ଦୀପ ଓ ଅଂଶୁଲ କାମ୍ବୋଜ ଲଗାତାର ୩ ଓଭରରେ ୩ଟି ଉଇକେଟ ନେଇଥିଲେ। ଏହି ତିନି ଓଭରରେ ନ୍ୟୁଜିଲାଣ୍ଡ ଗୋଟିଏ ରନ ମଧ୍ୟ କରିପାରି ନ ଥିଲା।
ଏହିପରି ଲଗାତାର ୩ ଓଭରରେ ନ୍ୟୁଜିଲାଣ୍ଡର ସ୍କୋର ୧୧୦/୧ରୁ ୧୧୦/୪କୁ ଖସି ଆସିଥିଲା। ଦ୍ୱିତୀୟ ସେସନ୍ରେ ମାତ୍ର ୫୪ ରନ ହୋଇଥିବା ବେଳେ ନ୍ୟୁଜିଲାଣ୍ଡ ୩ଟି ଉଇକେଟ ହରାଇଥିଲା। ଏହି ଦମ୍ଦାର ବୋଲିଂ ଯୋଗୁ ଦ୍ୱିତୀୟ ସେସନ ସମ୍ପୂର୍ଣ୍ଣ ଭାବେ ଭାରତ ନାମରେ ରହିଥିଲା।