ପଞ୍ଜାବରେ କିଏ ହେବେ NDAର ମୁଖ୍ୟମନ୍ତ୍ରୀ ଚେହେରା? BJP-ଅକାଳୀ ଦଳ ମେଣ୍ଟ ପରେ ବଡ଼ ଘୋଷଣା କଲେ ଶାହା

ନୂଆଦିଲ୍ଲୀ,୨୪।୧୧: ପଞ୍ଜାବ ରାଜନୀତିରେ ବଡ଼ ସମୀକରଣ: ୬ ବର୍ଷ ପରେ ପୁଣି ଏକାଠି ହେଲେ ଭାଜପା ଓ ଅକାଳୀ ଦଳ; ଜାଣନ୍ତୁ କିଏ ହେବେ NDA ର ମୁଖ୍ୟମନ୍ତ୍ରୀ ଚେହେରା?

ପଞ୍ଜାବରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ୱାଚନ ପୂର୍ୱରୁ ଭାଜପା ଏବଂ ଶିରୋମଣି ଅକାଳୀ ଦଳ (SAD) ପୁଣି ଥରେ ଏକାଠି ହୋଇଛନ୍ତି। ମଙ୍ଗଳବାର ଗୁରୁ ପର୍ୱ ଅବସରରେ ଉଭୟ ଦଳ ପକ୍ଷରୁ ମେଣ୍ଟର ଘୋଷଣା କରାଯାଇଛି।

ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ, ଗୃହମନ୍ତ୍ରୀ ଅମିତ ଶାହ ଏବଂ ଅକାଳୀ ଦଳ ମୁଖ୍ୟ ସୁଖବୀର ସିଂହ ବାଦଲ ଏକ ମିଳିତ ସାମ୍ୱାଦିକ ସମ୍ମିଳନୀ କରି ଏ ବିଷୟରେ ସୂଚନା ଦେଇଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ଉଭୟ ଦଳ ପଞ୍ଜାବର ସମସ୍ତ ୧୧୭ଟି ଆସନରେ ନିର୍ୱାଚନ ଲଢ଼ିବେ ଏବଂ ମୁଖ୍ୟମନ୍ତ୍ରୀ ପଦ ଶିରୋମଣି ଅକାଳୀ ଦଳକୁ ମିଳିବ। ସେପଟେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଏହି ମେଣ୍ଟକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି।

ଅମିତ ଶାହ କହିଛନ୍ତି ଯେ ପଞ୍ଜାବ ବିଧାନସଭା ର୍ନିବାଚନରେ ଭାଜପା ସହ ହୋଇଥିବା ମେଣ୍ଟରେ ଅକାଳୀ ଦଳ ‘ବଡ଼ ଭାଇ’ ଭୂମିକାରେ ରହିବ। ଅକାଳୀ ଦଳର ପ୍ରତ୍ୟାବର୍ତ୍ତନ ଦ୍ୱାରା ଏବେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA) ସମ୍ପୂର୍ଣ୍ଣ ହୋଇଯାଇଛି। ବାଜପେୟୀ ଓ ଆଡଭାନୀଙ୍କ ସମୟରୁ ସେମାନଙ୍କର ସମ୍ପର୍କ ରହିଆସିଛି ବୋଲି ଶାହ ଉଲ୍ଲେଖ କରିଛନ୍ତି। ସେପଟେ ପଞ୍ଜାବକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ଉଭୟ ଦଳ ମିଳିମିଶି କାମ କରିବେ ବୋଲି ବିଜେପି ଅଧ୍ୟକ୍ଷ ନୀତିନ ନବୀନ କହିଛନ୍ତି। ଅନ୍ୟପଟେ ଏହା କୌଣସି ରାଜନୈତିକ ନୁହେଁ ବରଂ ଏକ ଭାବନାତ୍ମକ ମେଣ୍ଟ ବୋଲି ଅକାଳୀ ଦଳ ମୁଖ୍ୟ ସୁଖବୀର ସିଂହ ବାଦଲ କହିଛନ୍ତି।

ଅମିତ ଶାହ କହିଛନ୍ତି ଯେ ନିର୍ୱାଚନ ପାଇଁ ଉଭୟ ଦଳର ବିସ୍ତୃତ ଘୋଷଣାପତ୍ର ଖୁବଶୀଘ୍ର ଚୂଡ଼ାନ୍ତ ହେବ। ତେବେ ପଞ୍ଜାବରୁ ନିଶା ସମସ୍ୟାକୁ ମୂଳରୁ ଶେଷ କରିବା, ଚାଷୀଙ୍କ କଲ୍ୟାଣ ପାଇଁ ମିଳିମିଶି କାମ କରିବା ଏବଂ ହିନ୍ଦୁ-ଶିଖ ଏକତାକୁ ବଜାୟ ରଖିବା ମୁଖ୍ୟ ପ୍ରାଥମିକତା ରହିବ। ସୂଚନାଯୋଗ୍ୟ ଯେ, ପରବର୍ତ୍ତୀ ସମୟରେ ରଦ୍ଦ ହୋଇଥିବା ତିନୋଟି କୃଷି ଆଇନ ପ୍ରସଙ୍ଗରେ ଅକାଳୀ ଦଳ ୨୦୨୦ ସେପ୍ଟେମ୍ୱର ମାସରେ ଭାଜପା ସହ ୨୪ ବର୍ଷର ପୁରୁଣା ମେଣ୍ଟ ଭାଙ୍ଗି ଦେଇଥିଲା। ଏହା ପୂର୍ୱରୁ ଲୋକ ସଭା ଏମପି ହରସିମରତ କୌର ବାଦଲ ମୋଦୀ ସରକାରରେ କ୍ୟାବିନେଟ ମନ୍ତ୍ରୀ ରହିଥିଲେ।

Share