Categories: ଜାତୀୟ

ହରପ୍ରୀତ ସିଂଙ୍କୁ ଜେଡ୍‌ ସୁରକ୍ଷା

ଚଣ୍ଡିଗଡ଼,୩।୬: ପଞ୍ଜାବ ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଶୁକ୍ରବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଅକାଲ ତଖତର ଜଥେଡର ଜିଆନି ହରପ୍ରୀତ ସିଂଙ୍କୁ କେନ୍ଦ୍ର ସରକାର ଜେଡ୍‌ ବର୍ଗର ସୁରକ୍ଷା ଯୋଗାଇଦେଇଛନ୍ତି। ସିଆରପିଏଫ୍‌ ଦ୍ୱାରା ଜାଥେଡର ହରପ୍ରୀତ ସିଂଙ୍କୁ ଏହି ସୁରକ୍ଷା ଯୋଗାଇଦିଆଯିବ। ଶୁକ୍ରବାର ଏନେଇ ଏକ ସରକାରୀ ନିର୍ଦ୍ଦେଶ ଜାରି କରାଯାଇଛି। ସୂଚନାଯୋଗ୍ୟ, ପଞ୍ଜାବର ଭଗଓ୍ବନ୍ତ ମାନ ସରକାରଙ୍କ ଦ୍ୱାରା ଅକାଲ ତାଖତ ଜାଥେଡର ହରପ୍ରୀତ ସିଂଙ୍କ ସୁରକ୍ଷା ପ୍ରତ୍ୟାହାର କରିନିଆଯାଇଥିଲା। ତାଙ୍କ ସୁରକ୍ଷା କ୍ଷେତ୍ରରେ ୬ଜଣ ପୋଲିସ କର୍ମଚାରୀ ନିୟୋଜିତ ହୋଇଥିବା ବେଳେ ଏହାକୁ ହ୍ରାସ କରାଯାଇ ୩ଜଣଙ୍କୁ ମୁତୟନ କରାଯାଇଥିଲା। ଏହାପରେ ହରପ୍ରୀତ କହିଥିଲେ ଯେ, ଅବଶିଷ୍ଟ ସୁରକ୍ଷାକର୍ମୀଙ୍କୁ ମଧ୍ୟ ସେ ରାଜ୍ୟ ସରକାରଙ୍କୁ ଫେରାଇଦେବେ। କାରଣ ସେ ରାଜ୍ୟ ସରକାରଙ୍କ ସୁରକ୍ଷା ଚାହୁଁନାହାଁନ୍ତି। ପଞ୍ଜାବର ଯୁବକମାନେ ତାଙ୍କ ସୁରକ୍ଷା ପାଇଁ ଯଥେଷ୍ଟ ବୋଲି ହରପ୍ରୀତ କହିଥିଲେ। ଅନ୍ୟପଟେ କେନ୍ଦ୍ର ସରକାରଙ୍କ ସୁରକ୍ଷା ଏଜେନ୍ସି ହରପ୍ରୀତ ସିଂଙ୍କ ସୁରକ୍ଷା ସମ୍ପର୍କରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରଣାଳୟକୁ ଏକ ରିପୋର୍ଟ ହସ୍ତାନ୍ତର କରିଥିଲେ। ଏହାପରେ ତାଙ୍କ ସୁରକ୍ଷାକୁ ସମୀକ୍ଷା କରାଯାଇ ଖୁବ୍‌ଶୀଘ୍ର ତାଙ୍କୁ ଜେଡ୍‌ ବର୍ଗର ସୁରକ୍ଷା ଯୋଗାଇଦିଆଯିବ ବୋଲି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ସୂଚନା ମୁତାବକ, ପଞ୍ଜାବର ଗାୟକ ସିଦ୍ଧୁ ମୁସେୱାଲାଙ୍କ ସୁରକ୍ଷା ହ୍ରାସ ପାଇବାର ୨୪ ଘଣ୍ଟା ମଧ୍ୟରେ ତାଙ୍କୁ ହତ୍ୟା କରାଯାଇଥିଲା।

 

Share