ନୂଆଦିଲ୍ଲୀ,୧୨।୧୦: ଭାରତୀୟ କ୍ରିକେଟ୍ର ଦୁଇ ଅଭିଜ୍ଞ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଟେଷ୍ଟ କ୍ରିକେଟ୍ରୁ ଅବସର ଘୋଷଣା ଏବେ ବି କ୍ରିକେଟ୍ପ୍ରେମୀଙ୍କ ମନରେ ରହିଛି । ୨୦୨୫ ମେ’ ୭ ତାରିଖରେ ରୋହିତ ଶର୍ମା ଏବଂ ମେ’ ୧୨ ତାରିଖରେ ବିରାଟ କୋହଲି ଟେଷ୍ଟ କ୍ରିକେଟ୍ରୁ ଅବସର ଘୋଷଣା କରିଥିଲେ। ତେବେ ବିରାଟଙ୍କ ଅବସର ପଛରେ ଚୟନ କମିଟିର ବ୍ୟବହାର ଏକ କାରଣ ହୋଇଥାଇପାରେ ବୋଲି ମତ ଦେଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର୍ ୱାସିମ୍ ଜାଫର।
ଜାଫରଙ୍କ କହିବା ଅନୁଯାୟୀ, ବିରାଟ କୋହଲିଙ୍କ ସହ ଯେଉଁଭଳି ବ୍ୟବହାର କରାଯାଇଥିଲା, ସେଥିରେ ସେ ଖୁସି ନଥିବା ଭଳି ଲାଗୁଥିଲା। ଅଜିତ ଅଗରକରଙ୍କ ନେତୃତ୍ୱାଧୀନ ଚୟନ କମିଟିର ବ୍ୟବହାର ଯୋଗୁଁ ବିରାଟ ଟେଷ୍ଟ କ୍ରିକେଟ୍ରୁ ଅବସର ନେଇଥାଇପାରନ୍ତି ବୋଲି ଜାଫର ନିଜ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମତ ରଖିଥିବା ରିପୋର୍ଟରେ ଉଲ୍ଲେଖ ରହିଛି।
ୱାସିମ୍ ଜାଫର କହିଛନ୍ତି, ବିରାଟଙ୍କ ଭଳି ଜଣେ ଖେଳାଳିଙ୍କ ଲୋକପ୍ରିୟତା ଅତୁଳନୀୟ। ତାଙ୍କୁ ଖେଳୁଥିବା ଦେଖିବା ପାଇଁ ଦର୍ଶକ ଷ୍ଟାଡିୟମ୍କୁ ଆସନ୍ତି। ତାଙ୍କ ପାଖରେ ଆହୁରି ଅନେକ ଟେଷ୍ଟ ମ୍ୟାଚ୍ ଖେଳିବାର କ୍ଷମତା ଥିଲା। ବିରାଟ ଇଂଲଣ୍ଡ ଗସ୍ତ ପାଇଁ ମଧ୍ୟ ପ୍ରସ୍ତୁତି କରୁଥିବା ଦେଖାଯାଇଥିଲା। ତେବେ ବିରାଟ ନିଜେ ଅବସର ପଛର କାରଣ ସ୍ପଷ୍ଟ ଭାବେ ନ କହିବା ପର୍ଯ୍ୟନ୍ତ ପ୍ରକୃତ କାରଣ ଜାଣିବା ସମ୍ଭବ ନୁହେଁ ବୋଲି ଜାଫର ମତ ଦେଇଛନ୍ତି । ତେଣୁ ଚୟନ କମିଟିର ବ୍ୟବହାର ହିଁ ତାଙ୍କ ଅବସରର ନିଶ୍ଚିତ କାରଣ ବୋଲି କୁହାଯାଇପାରିବ ନାହିଁ।
ବିରାଟ କୋହଲି ଭାରତ ପକ୍ଷରୁ ଟେଷ୍ଟ କ୍ରିକେଟ୍ରେ ତୃତୀୟ ସର୍ବାଧିକ ରନ୍ ସଂଗ୍ରହକାରୀ ବ୍ୟାଟର୍ ଭାବେ ଅବସର ନେଇଥିଲେ। ତାଙ୍କ ନାମରେ ରହିଛି ୯୨୩୦ ରନ୍। ଟେଷ୍ଟ କ୍ରିକେଟ୍ରେ ୧୦ ହଜାର ରନ୍ ପୂରଣ କରିବା ପାଇଁ ତାଙ୍କୁ ଆଉ ମାତ୍ର ୭୭୦ ରନ୍ ଆବଶ୍ୟକ ଥିଲା। ସେହିପରି ୮୯୩ ରନ୍ ଅଧିକ କରିଥିଲେ ସେ ସୁନୀଲ ଗାଭାସ୍କରଙ୍କ ୧୦,୧୨୨ ରନ୍ର ରେକର୍ଡକୁ ଅତିକ୍ରମ କରିପାରିଥାନ୍ତେ। ଟେଷ୍ଟ କ୍ରିକେଟ୍ରୁ ଅବସର ନେବା ପୂର୍ବରୁ ବିରାଟ ଖରାପ ଫର୍ମ ଦେଇ ଗତି କରୁଥିଲେ। ତାଙ୍କର ଶେଷ ୭ଟି ଟେଷ୍ଟ ଇନିଂସ୍ରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର ଥିଲା ମାତ୍ର ୩୬ ରନ୍। ଏହି ୭ଟି ଇନିଂସ୍ରୁ ସେ ମୋଟ ୮୫ ରନ୍ ସଂଗ୍ରହ କରିଥିଲେ। ସେହିପରି ଶେଷ ୧୩ଟି ଟେଷ୍ଟ ଇନିଂସ୍ରେ ମାତ୍ର ଥରେ ୫୦ ରନ୍ର ସୀମା ଅତିକ୍ରମ କରିପାରିଥିଲେ।
ଅନ୍ୟପଟେ, ଦିନିକିଆ କ୍ରିକେଟ୍ରେ ବିରାଟଙ୍କ ପ୍ରଦର୍ଶନ ଭଲ ରହିଛି। ଚଳିତ ବର୍ଷ ୯ଟି ଦିନିକିଆ ଇନିଂସ୍ରେ ସେ ୬୯ ହାରରେ ୫୫୨ ରନ୍ କରିଥିବା ରିପୋର୍ଟରେ କୁହାଯାଇଛି। ବିରାଟଙ୍କ ଟେଷ୍ଟ ଅବସରକୁ ନେଇ ଏବେ ବି ଚର୍ଚ୍ଚା ଜାରି ରହିଛି।