Categories: ଖେଳ

ଅଗରକର ଚୟନ କମିଟି ଚେୟାରମ୍ୟାନ୍‌

ନୂଆଦିଲ୍ଲୀ, ୫ା୭(ପି.ଟି.):ପୂର୍ବତନ ଭାରତୀୟ କ୍ରିକେଟର ତଥା ଅଲରାଉଣ୍ଡର ଅଜିତ୍‌ ଅଗରକରଙ୍କୁ ଭାରତୀୟ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା ଭାବରେ ନିଯୁକ୍ତି ମିଳିଛି। ଆଇପିଏଲ ଫ୍ରାଞ୍ଚାଇଜି ଦିଲ୍ଲୀ କ୍ୟାପିଟାଲ୍ସ(ଡିସି)ର ସହକାରୀ କୋଚ୍‌ ରହିଥିବା ଅଗରକର ଗୁରୁବାର ଇସ୍ତଫା ପ୍ରଦାନ କରିବା ପରେ ସେ ମୁଖ୍ୟ ଚୟନକର୍ତ୍ତା ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା। ମଙ୍ଗଳବାର ଅଗରକରଙ୍କୁ ଚେତନ ଶର୍ମାଙ୍କ ସ୍ଥାନରେ ନିଯୁକ୍ତି ମିଳିଛି। ଅଶୋକ ମଲହୋତ୍ରା, ଜତିନ୍‌ ପରାଞ୍ଜପେ ଓ ସୁଲକ୍ଷଣା ନାଏକଙ୍କ ୩ ଜଣିଆ କ୍ରିକେଟ୍‌ ପରାମର୍ଶଦାତା କମିଟି(ସିଏସି) ପକ୍ଷରୁ ମଙ୍ଗଳବାର ଏହି ଘୋଷଣା କରାଯାଇଛି। ଏହା ସହିତ ବିସିସିଆଇ ପକ୍ଷରୁ ମୁଖ୍ୟ ଚୟନକର୍ତ୍ତାଙ୍କ ବେତନ ବୃଦ୍ଧି କରାଯିବାର ସମ୍ଭାବନା ରହିଛି। ପୂର୍ବରୁ ଚୟନ କମିଟିର ଅନ୍ୟ ସଦସ୍ୟଙ୍କୁ ମାସିକ ୯୦ ଲକ୍ଷ ଓ ମୁଖ୍ୟ ଚୟନକର୍ତ୍ତାଙ୍କୁ ୧ କୋଟି ଟଙ୍କାର ବେତନ ପ୍ରଦାନ କରାଯାଇଥାଏ। ଅଗରକର ଭାରତ ପକ୍ଷରୁ ୧୯୧ ଦିନିକିଆ, ୨୬ ଟେଷ୍ଟ ଓ ୪ ଟି୨୦ ମ୍ୟାଚ୍‌ ଖେଳିଛନ୍ତି। ଏହା ବ୍ୟତିତ ସେ ଭାରତ ପାଇଁ ୧୯୯୯, ୨୦୦୩ ଓ ୨୦୦୭ରେ ୩ଟି ବିଶ୍ୱକପ ଖେଳିଛନ୍ତି। ୨୦୦୭ରେ ବିଶ୍ୱକପ୍‌ ଜିତିଥିବା ଟି୨୦ ଦଳର ମଧ୍ୟ ସେ ପ୍ରମୁଖ ସଦସ୍ୟ ରହିଥିଲେ। ରମାକାନ୍ତ ଆଚ୍ରେକରଙ୍କ ଏହି ଶିଷ୍ୟ ଜଣଙ୍କ ଲଡର୍‌ସରେ ଶତକ ହାସଲର ରେକର୍ଡ ନିଜ ନାମରେ ରଖିଥିବା ବେଳେ ଆଡିଲେଡ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ୬ ଉଇକେଟ ଅକ୍ତିଆର କରିଛନ୍ତି। ଏହା ବ୍ୟତିତ ତାଙ୍କ ନାମରେ ଭାରତୀୟଙ୍କ ମଧ୍ୟରେ ଦ୍ରୁତତମ ଅର୍ଦ୍ଧଶତକର ରେକର୍ଡ ରହିଛି। ୨୧ ବଲ୍‌ରୁ ସେ ୫୦ ରନ୍‌ ସ୍କୋର କରିଥିଲେ। ଅଗରକର ଏକମାତ୍ର ଖେଳାଳି ଭାବରେ ସିଏସି ଆଗରେ ସାକ୍ଷାତକାର ପାଇଁ ହାଜର ହୋଇଥିଲେ। ବର୍ତ୍ତମାନ ସେ ପରିବାର ସହ ବିଦେଶରେ ଛୁଟି କାଟୁଥିବା ବେଳେ ସେ ଫେରିବା ପରେ ଅନ୍ୟ ପ୍ରକ୍ରିୟା ପୁରଣ କରାଯିବ।
ପୂର୍ବରୁ ୨୦୨୧ରେ ମଧ୍ୟ ଅଗରକର ଚୟନ କମିଟି ପାଇଁ ସାକ୍ଷାତକାର ଦେଇଥିଲେ। ଓ୍ବେଷ୍ଟ ଜୋନ୍‌ରୁ ଆବେ କୁରୁଭିଲାଙ୍କୁ ଚୟନ କରାଯାଇଥିଲା। ମୁମ୍ବାଇ କ୍ରିକେଟ ଆସୋସିଏଶନ ପକ୍ଷରୁ ସେତେବେଳେ ଅଗରକରଙ୍କୁ ସମର୍ଥନ ମିଳି ନ ଥିଲା। ଅନ୍ୟ ଖେଳାଳିଙ୍କ ଅପେକ୍ଷା ମୁଖ୍ୟ ଚୟନକର୍ତ୍ତା ପାଇଁ ଅଧିକ ଯୋଗ୍ୟ ଥିଲେ। ଯଦି ଅଗରକର ୨୦୨୧ରେ ଚୟନ କମିଟିରେ ସାମିଲ ହୋଇଥାନ୍ତେ ତେବେ ଚେତନ ଶର୍ମାଙ୍କ ସ୍ଥାନରେ ତାଙ୍କୁ ମୁଖ୍ୟ ଚୟନକର୍ତ୍ତା ଘୋଷଣା କରାଯାଇଥାନ୍ତା। ନୂତନ ନିୟମ ଅନୁସାରେ ଜଣେ ଖେଳାଳି ସର୍ବାଧିକ ୪ ବର୍ଷ ଚୟନ କମିଟିରେ କାର୍ଯ୍ୟ କରିପାରିବେ।

Share