ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ଏଜାଜ ଖାଁ କରୋନା ପଜିଟିଭ୍‌

ମୁମ୍ବାଇ,୫।୪: ସାରା ଦେଶରେ ପୁଣି ଥରେ କରୋନା କାୟା ବିସ୍ତାର କରିଚାଲିଛି। କରୋନାର ଦ୍ୱିତୀୟ ଲହର ଭୟାବହ ରୂପ ଧାରଣ କରିବାରେ ଲାଗିଛି। ଏହି ନୂଆ ଷ୍ଟ୍ରେନ୍‌ ଖୁବ୍‌ କମ୍‌ ସମୟରେ ଅଧିକ ଲୋକଙ୍କୁ ସଂକ୍ରମଣ କରିବାରେ ସକ୍ଷମ ହେଉଛି। ଏହି କ୍ରମରେ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ଅଭିନେତା ଏଜାଜ ଖାଁ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏନ୍‌ସିବି ହେପାଜତ୍‌ରେ ଥିବା ବେଳେ ସେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ଜଣାପଡ଼ିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ ଏଜାଜଙ୍କୁ ପଚରାଉଚରା କରୁଥିବା ଏନ୍‌ସିବି ଟିମ୍‌ର ମଧ୍ୟ କରୋନା ଯାଞ୍ଚ ହେବ ବୋଲି ସୂଚନା ରହିଛି। ସୂଚନାଯୋଗ୍ୟ, ଦୁଇ ଦିନ ପୂର୍ବରୁ ଏଜାଜଙ୍କ କରୋନା ପରୀକ୍ଷା ହୋଇଥିଲା। ତେବେ ରବିବାର ତାଙ୍କ କରୋନା ରିପୋର୍ଟ ପଜିଟିଭ୍‌ ଆସିଥିଲା। ସୂଚନା ମୁତାବକ ଗତ କିଛି ଦିନ ତଳେ ଅଭିନେତା ଏଜାଜଙ୍କୁ ଡ୍ରଗ୍ସ ମାମଲାରେ ଏନ୍‌ସିବି ଗିରଫ କରିଥିଲା। ପୂର୍ବରୁ ତାଙ୍କୁ ଏପ୍ରିଲ ୩ ପର୍ଯ୍ୟନ୍ତ ହେପାଜତରେ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା। ପରେ ଏହାର ଅବଧିକୁ ବଢ଼ାଇ ତାଙ୍କୁ ଏପ୍ରିଲ ୫ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇବାକୁ ନିଷ୍ପତ୍ତି ନିଆଯାଇଥିଲା।

 

Share