ପାଣି, ସେଲରୁ ବିଦ୍ୟୁତ୍‌ ଉତ୍ପାଦନ କଲେ ଅଜୟ

ଖୋର୍ଦ୍ଧା ଅଫିସ,୧୧ା୭: କିଛି ନୂଆ କରିବାର ନିଶା ହିଁ ଉଦ୍ଭାବନର ବାଟ ଦେଖାଇଥାଏ। ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ଖୋର୍ଦ୍ଧା ଜିଲା ଜଟଣୀ ବ୍ଲକ ଅନ୍ତର୍ଗତ ରାଧାଚରଣପୁର ଗ୍ରାମର ଅଜୟ ବେହେରା। ପେସାରେ ସେ ଜଣେ ଇଲେକ୍ଟ୍ରିସିଆନ ହୋଇଥିଲେ ବି ପୂର୍ବରୁ ପ୍ଲାଷ୍ଟିକ୍‌ ଓ ପଲିଥିନକୁ ବ୍ୟବହାର କରି ପେଟ୍ରୋଲ ବାହାର କରି ଚର୍ଚ୍ଚାକୁ ଆସିଥିଲେ। ଏବେ ସେ ପାଣି ଓ ନିଜ ନିର୍ମିତ କେତୋଟି ସେଲରୁ ବିଦ୍ୟୁତ୍‌ ଉତ୍ପାଦନ କରୁଥିବା ଦାବି କରିଛନ୍ତି।
ବିଦ୍ୟୁତ୍‌ ଉତ୍ପାଦନ ପାଇଁ ଇନ୍‌ଭର୍ଟର, ବ୍ୟାଟେରି ବ୍ୟବହାର କରାଯାଇଥାଏ। କିନ୍ତୁ ଅଜୟ ପିଭିସି ପ୍ଲେଟ୍‌କୁ ଛିଦ୍ର କରି ସେଥିରେ ଅନାବନା କାଗଜ ଗୁଡାଇ ତା’ ଉପରେ ପ୍ଲାଷ୍ଟର ଦେଇ ଏକ ସେଲ୍‌ ପ୍ରସ୍ତୁତ କରିଛନ୍ତି। ଗୋଟିଏ ସେଲ୍‌ରୁ ୧.୫ ଭୋଲ୍ଟ ବିଦ୍ୟୁତ୍‌ ଉପତ୍ାଦନ ହେଉଛି। ଏପରି ୪ଟି ସେଲ୍‌କୁ ବିଦ୍ୟୁତ୍‌ ତାର ସହ ୧୨ଟି ଏଲ୍‌ଇଡି ବଲ୍‌ବ ସହ ସଂଯୋଗ ହୋଇଛି। ସେଲ୍‌ରେ ପାଣି ପକାଇବା ପରେ ସେଥିରେ ପାଣି ସଂଗ୍ରହ ହୋଇ ରହିଥାଏ। ସଂଗୃହୀତ ପାଣି ବିଦ୍ୟୁତ୍‌ରେ ପରିବର୍ତ୍ତନ ହୋଇ ବଲ୍‌ବ ଜଳିଥାଏ ବୋଲି ଅଜୟ ଦାବି କରିଛନ୍ତି। ଯେତେ ସେଲ୍‌ ପ୍ରସ୍ତୁତ ହେବ ସେତିକି ବିଦ୍ୟୁତ୍‌ ଉପତ୍ାଦନ ହୋଇପାରିବ। ଆଗକୁ ଘରେ ଏକାସାଙ୍ଗରେ ୫ରୁ ୧୦ ଓ୍ବାଟ୍‌ର ଏଲ୍‌ଇଡି ବଲ୍‌ବ ସହ ପଙ୍ଖା ଚଳାଇବା ପାଇଁ ଯୋଜନା ରଖିଥିବା ସେ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ପୁରୀରେ ସମୁଦ୍ର ପାଣିକୁ ବ୍ୟବହାର କରି ଏହାର ପରୀକ୍ଷଣ କରିଥିଲି। ସେଥିରୁ ସଫଳତା ହାସଲ ପରେ ସାଧାରଣ ପାଣିକୁ ବ୍ୟବହାର କରି ବିଦ୍ୟୁତ୍‌ ଉପତ୍ାଦନ ଲାଗି ପ୍ରସ୍ତୁତି ଆରମ୍ଭ କରିଥିଲି। ଦୀର୍ଘ ଦେଢ଼ମାସର ପରୀକ୍ଷା ପରେ ଏହି ସଫଳତା ମିଳିଛି। ଅନ୍ୟପକ୍ଷରେ ଏନେଇ କୈଳାସ କୁହନ୍ତି, ପୁଅ ଅଜୟ ପୂର୍ବରୁ ପ୍ଲାଷ୍ଟିକ୍‌, ପଲିଥିନରୁ ପେଟ୍ରୋଲ ବାହାର କରିବା ଲାଗି ନିଜ ବାଇକ୍‌କୁ ବିକି ଦେଇଥିଲା। ସେହି ଟଙ୍କାରେ ସାମଗ୍ରୀ କିଣିବା ସହ କାମ ଆରମ୍ଭ କରିଥିଲା। ପରିଶ୍ରମ ସ୍ବରୂପ ସେଥିରେ ସେ ସଫଳ ମଧ୍ୟ ହୋଇଛି। ଏବେ ନିଜେ ପଇସା ଖର୍ଚ୍ଚକରି ଅନେକ ବିଦ୍ୟୁତ୍‌ ସାମଗ୍ରୀ କିଣିଆଣିଛି। ଦିନ ନାହିଁ କି ରାତି ନାହିଁ, ସବୁ ସମୟରେ କାମରେ ଲାଗିଥାଏ।