ଅଜୟ ଦେବଗନଙ୍କ ଫିଲ୍ମକୁ ବଡ଼ ସଫଳତା, ଏହି ଭାଷାରେ ରିମେକ୍‌ ହେବ ‘ଦୃଶ୍ୟମ’

ମୁମ୍ବାଇ: ଅଭିନେତା ଅଜୟ ଦେବଗନଙ୍କ ସୁପରହିଟ୍‌ ଫିଲ୍ମ ‘ଦୃଶ୍ୟମ’ ଆଉ ଏକ ବଡ଼ ସଫଳତା ପାଇଛି। ବର୍ତ୍ତମାନ ‘ଦୃଶ୍ୟମ’ ଫ୍ରାଞ୍ଚାଇଜ ଦେଶ ସହିତ ବିଦେଶରେ ପାଦ ରଖିବାକୁ ଯାଉଛି। ଖୁବ୍‌ଶୀଘ୍ର ଏହି ସର୍ବୋତ୍ତମ ଚଳଚ୍ଚିତ୍ର ଧାରାବାହିକ ଦକ୍ଷିଣ କୋରିଆରେ ରିମେକ୍‌ ହେବ। ଯାହା ଏକ ଭାରତୀୟ ଚଳଚ୍ଚିତ୍ର ପାଇଁ ଏହା ଗୌରବର ବିଷୟ।

ବର୍ତ୍ତମାନ ଦକ୍ଷିଣ କୋରିଆ ଭାଷାରେ ‘ଦୃଶ୍ୟମ’ ଚଳଚ୍ଚିତ୍ର ଫ୍ରାଞ୍ଚାଇଜର ଅଫିସିଆଲ ରିମେକ୍‌ କରିବାକୁ ନିଷ୍ପତ୍ତି ନିଆଯାଇଛି। ଫ୍ରାନ୍ସରେ ଚାଲିଥିବା କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଏହା ଘୋଷଣା କରାଯାଇଛି। ତେବେ ଦକ୍ଷିଣ କୋରିଆ ଦର୍ଶକଙ୍କ ପାଇଁ ଏହି ସିନେମାରେ କିଛି ପରିବର୍ତ୍ତନ ମଧ୍ୟ କରାଯିବ। ଭାରତୀୟ ଉତ୍ପାଦନ କମ୍ପାନୀ ପାନୋରାମା ଷ୍ଟୁଡିଓ ଏବଂ ୱାର୍ଣ୍ଣର ବ୍ରୋସର ପୂର୍ବତନ ସ୍ଥାନୀୟ କୋରିଆ ମୁଖ୍ୟ ଜୟ ଚୋଇଙ୍କ ଆନ୍ଥୋଲୋଜି ଷ୍ଟୁଡିଓ ଏହି ରିମେକ ପାଇଁ ସହମତ ହୋଇଛି।

ଚଳଚ୍ଚିତ୍ର ନିର୍ମାତା କୁମାର ମଙ୍ଗତ ନିଜ ଖୁସି ବ୍ୟକ୍ତ କରି କହିଛନ୍ତି, ମୁଁ ବହୁତ ଉତ୍ସାହିତ ଅଛି ଯେ କୋରିୟ ଭାଷାରେ ‘ଦୃଶ୍ୟମ’ ଫ୍ରାଞ୍ଚାଇଜ ତିଆରି ହେଉଛି । ଏହା ହେଉଛି ପ୍ରଥମ ହିନ୍ଦୀ ଚଳଚ୍ଚିତ୍ର ଯାହା କୋରିଆରେ ନିର୍ମିତ ହେବ। ଏହି ଚଳଚ୍ଚିତ୍ର ସହିତ ହିନ୍ଦୀ ସିନେମା ବିଶ୍ୱ ସ୍ତରରେ ଏକ ଦୃଢ ପରିଚୟ ପାଇବ। ଯଦିଓ ଗତ ଅନେକ ବର୍ଷ ଧରି ଆମେ କୋରିଆ ଚଳଚ୍ଚିତ୍ର ଦ୍ୱାରା ଅନୁପ୍ରାଣିତ ହୋଇଥିଲୁ, ଏବଂ ବର୍ତ୍ତମାନ ସେଗୁଡ଼ିକ ମଧ୍ୟ ଆମର ଗୋଟିଏ ଚଳଚ୍ଚିତ୍ର ଦ୍ୱାରା ଅନୁପ୍ରାଣିତ ହେବେ।

Share