ତାଲିବାନ ଉପରେ ଏୟାରଷ୍ଟ୍ରାଇକ୍‌…

କାବୁଲ,୧।୮: ତାଲିବାନ ବିରୋଧରେ ଆଫଗାନିସ୍ତାନ ବାୟୁସେନା ପକ୍ଷରୁ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ତାଲିବାନ ଉପରେ ଏୟାରଷ୍ଟ୍ରାଇକ୍‌ କରାଯାଇଛି। ପୃଥକ ପୃଥକ ଆକ୍ରମଣରେ ଆଫଗାନିସ୍ତାନ ବାୟୁସେନା ପକ୍ଷରୁ ହୋଇଥିବା ବୋମାମାଡ଼ରେ ୨୫୪ ତାଲିବାନ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ୯୭ରୁ ଅଧିକ ଆତଙ୍କବାଦୀ ଆହତ ହୋଇଥିବା କୁହାଯାଉଛି। ଆଫଗାନିସ୍ତାନ ବାୟୁସେନା ପକ୍ଷରୁ ଗତ ୨୪ ଘଣ୍ଟା ମଧ୍ୟରେ କାବୁଲ, କାନ୍ଧାହାର, କୁଣ୍ଡୁଜ, ହେରାତ, ହେଲମଣ୍ଡ ଏବଂ ଘଜନୀଙ୍କ ସମେତ ୧୩ଟି ତାଲିବାନ ଆତଙ୍କବାଦୀଙ୍କ ଶିବିର ଉପରେ ଆକ୍ରମଣ କରାଯାଇଛି।
ଏହି ସମୟ ମଧ୍ୟରେ ଆଫଗାନିସ୍ତାନ ସୈନ୍ୟବାହିନୀ ୧୩ଟି ଆଇଇଡ଼ିକୁ ନିଷ୍କ୍ରିୟ କରାଯାଇଛି। ଆଫଗାନିସ୍ତାନରୁ ଆମେରିକାର ସୈନ୍ୟ ପ୍ରତ୍ୟାହାର ଆରମ୍ଭ ହେବା ପରେ ଦେଶରେ ତାଲିବାନ ଆତଙ୍କବାଦୀ ସକ୍ରିୟ ହେବାରେ ଲାଗିଛନ୍ତି। ଅଗଷ୍ଟ ୩୧ ସୁଦ୍ଧା ଆମେରିକା ସୈନ୍ୟ ଆଫଗାନିସ୍ତାନରୁ ସମ୍ପୂର୍ଣ୍ଣ ହଟିଯିବାର ଯୋଜନା ରହିଛି।
ଜାତିସଂଘର ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷର ପ୍ରଥମ ଛଅ ମାସରେ ଆଫଗାନିସ୍ତାନରେ ଘଟିଥିବା ହିଂସା ଯୋଗୁ ସାଧାରଣ ନାଗରିକଙ୍କ ମୃତ୍ୟୁ ଓ ଆହତଙ୍କ ସଂଖ୍ୟା ଗତ ବର୍ଷ ତୁଳନାରେ ୪୭ ପ୍ରତିଶତ ବୃଦ୍ଧି ପାଇଛି। ଏହି ରିପୋର୍ଟରେ ସ୍ପଷ୍ଟ ଚେତାବନୀ ଦିଆଯାଇଛି ହିଂସାକୁ ରୋକା ନ ଗଲେ ଚଳିତ ବର୍ଷ ଦେଶରେ ସାଧାରଣ ଲୋକଙ୍କ ହତାହତଙ୍କ ସଂଖ୍ୟା ବୃଦ୍ଧି ପାଇବ।

Share