ୟେମେନ୍‌ରେ ଏୟାରଷ୍ଟ୍ରାଇକ୍‌: ୪୧ ମୃତ

ସାନା/ ରିୟାଦ,୨୧ା୧୧: ସାଉଦି ଆରବ ଗତ ୨୪ ଘଣ୍ଟା ମଧ୍ୟରେ ୟେମେନ୍‌ର ବିଭିନ୍ନ ସ୍ଥାନରେ କରିଥିବା ଏୟାରଷ୍ଟ୍ରାଇକ୍‌ରେ ୧୧ ପିଲା ଓ ୭ ମହିଳାଙ୍କ ସମେତ ଅନୂ୍ୟନ ୪୧ ଜଣଙ୍କ ମୃତ୍ୟୁ ଘଟିଥିବା ହାଉତି ପରିଚାଳିତ ଅଲ୍‌-ମସିରାହ ଟିଭି ରିପୋର୍ଟ କରିଛି।

ଆକ୍ରମଣରେ ୩ ପିଲାଙ୍କ ସମେତ ୨୮ ଜଣ ଆହତ ହୋଇଛନ୍ତି। ଅନ୍ୟପକ୍ଷେ ହାଉତି ସାଉଦି ଆରବର ଦକ୍ଷିଣ-ପଶ୍ଚିମ ଭାଗରେ ଥିବା ଏକ ବିଦ୍ୟୁତ୍‌ ପ୍ଲାଣ୍ଟ ଓ ବନ୍ଦର ଉପରେ ଆକ୍ରମଣ କରିଥିବା ଦାବି କରିଛି।

ସାଉଦି ଆରବ କର୍ତ୍ତୃପକ୍ଷ ଏହା ଉପରେ କୌଣସି ମନ୍ତବ୍ୟ ଦେଇନାହାନ୍ତି। ସାଉଦିର ଜଜାନ ଅଞ୍ଚଳରେ ଥିବା ଅଲ୍‌-ଶୁକାଇକ୍‌ ବିଦ୍ୟୁତ୍‌ ପ୍ଲାଣ୍ଟ ଏବଂ ଜଜାନ ବନ୍ଦର ଉପରେ ହାଉତି ଗୋଷ୍ଠୀ ଆକ୍ରମଣ କରିଥିଲା। ୟେମେନ୍‌ର ବିଦ୍ୟୁତ୍‌ ପ୍ଲାଣ୍ଟ ଏବଂ ହୋଡେଇଡାହ ବନ୍ଦର ଉପରେ ସାଉଦି କରିଥିବା ଆକ୍ରମଣର ଜବାବରେ ଏହି ଏୟାରଷ୍ଟ୍ରାଇକ୍‌ କରାଯାଇଥିବା ହାଉତି ସେନା ମୁଖପତ୍ର ୟାହ୍ୟା ସାରିଆ ପ୍ରକାଶ କରିଛନ୍ତି।

Share