ଲଗେଜ୍‌ରେ ବନ୍ଧୁକ ନେଇ ବିମାନଯାତ୍ରା

ଭୁବନେଶ୍ୱର,୧୫।୯(ବ୍ୟୁରୋ): ହାଇସିକ୍ୟୁରିଟ୍‌ ଜୋନ୍‌ କୁହାଯାଉଥିବା ବିମାନ ବନ୍ଦର ଭିତରକୁ ଜଣେ ଯାତ୍ରୀ ବନ୍ଧୁକ ନେଇଯାଇଥିଲେ। ବିମାନ ଭିତରକୁ ଚଢିବା ସମୟରେ ସୁରକ୍ଷାକର୍ମୀ ଲଗେଜ ଯାଞ୍ଚ କରିବାବେଳେ ଯାତ୍ରୀ ଜଣଙ୍କ ଧରାପଡିଛନ୍ତି। ତାଙ୍କ ନିକଟରୁ ବନ୍ଧୁକ ଜବତ କରାଯିବା ସହ ଏୟାରପୋର୍ଟ ଥାନାକୁ ନେଇ ଅଟକ ରଖିଛି। ଏ ନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ସବୁଠୁ ବଡ଼ କଥା ହେଲା ସେ ବନ୍ଧୁକ କେଉଁଠୁ ଆଣିଥିଲେ। ଏହି ବନ୍ଧୁକକୁ ସେ କିଭଳି ବିମାନରେ ନେଇ ବାହାରକୁ ଯାଉଥିଲେ। ତାହାକୁ ନେଇ ଏବେ ପୋଲିସ ଖୋଳତାଡ଼ କରୁଛି।
ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ଜିଲା ଗୋବିନ୍ଦପୁର ବାଲିନି ଅଞ୍ଚଳର ସତ୍ୟବ୍ରତ ସାମଲ ହାଇଦ୍ରାବାଦ ଯିବାପାଇଁ ଇଣ୍ଡିଗୋ ବିମାନ ନଂ-୬ଇ୩୪୨ରେ ଟିକେଟ ବୁକ୍‌ କରିଥିଲେ। ରବିବାର ସକାଳ ୬.୩୦ରେ ସେ ଲଗେଜ ଧରି ବିଜୁ ପଟ୍ଟନାୟକ ବିମାନ ବନ୍ଦର ଭିତରକୁ ପଶିଥିଲେ। ପ୍ରବେଶ ପଥରେ ଟିକେଟ ଦେଖାଇ ବିମାନ ଭିତରକୁ ପଶିଯାଇଥିଲେ। ଏପରିକି ବିମାନରେ ବସିବା ପୂର୍ବରୁ ଗେଟ ନିକଟରେ ଥିବା ବିମାନର ସ୍ବତନ୍ତ୍ର ସୁରକ୍ଷାକର୍ମୀ ତାଙ୍କ ଉପରେ ସନ୍ଦେହ କରିଥିଲେ। ଏ ନେଇ ସତ୍ୟବ୍ରତଙ୍କୁ ଯାଞ୍ଚ କରିବା ପରେ ତାଙ୍କ ଲଗେଜରୁ ଏକ ବନ୍ଧୁକ ଜବତ ହୋଇଥିଲା। ଏହାର ଲାଇସେନ୍ସ ଥିବା ସତ୍ୟବ୍ରତ ତାଙ୍କୁ କହିଥିଲେ। ସୁରକ୍ଷାକର୍ମୀ ତାଙ୍କୁ ଲାଇସେନ୍ସ ମାଗିଥିଲେ ମଧ୍ୟ ସେ ଦେଖାଇପାରି ନ ଥିଲେ। ଏପରିକି ସୁରକ୍ଷାକର୍ମୀଙ୍କୁ ପରେ ଦେଖି ନେବି ବୋଲି ଧମକ ଦେଇଥିଲେ। ସୁରକ୍ଷାକର୍ମୀ ପୋଲିସକୁ ଜଣାଇବା ପରେ ପୋଲିସ ପହଞ୍ଚତ୍ ଥାନାକୁ ନେଇଥିଲେ। ପଚରାଉଚୁରା ପରେ ଏହି ବନ୍ଧୁକ ଚୋରା ଥିବା ଜଣାପଡିଥିଲା। ବନ୍ଧୁକ ନେଉଥିବା ସତ୍ୟବ୍ରତଙ୍କ ନାମରେ ମାମଲା ରହିଛି କି ନାହିଁ ସେନେଇ ପୋଲିସ ତଦନ୍ତ କରୁଛି।