ବେରୁଟ୍ ,୬ା୬: ଇସ୍ରାଏଲ ଏବଂ ଲେବାନନ୍ ମଧ୍ୟରେ ନୂଆ ଅସ୍ତ୍ରବିରତି ଚୁକ୍ତିନାମା ସତ୍ତ୍ୱେ ଇସ୍ରାଏଲୀ ସେନା ଆକ୍ରମଣ ଜାରି ରଖିଛି। ଇସ୍ରାଏଲୀ ସେନା ଶନିବାର ଦକ୍ଷିଣ ଲେବାନନ୍ରେ ଜୋର୍ଦାର ଏୟାରଷ୍ଟ୍ରାଇକ୍ କରିବାରୁ ଲେବାନନ୍ ସେନାର ୩ ଅଫିସରଙ୍କ ସମେତ ୯ ଜଣ ନିହତ ହୋଇଛନ୍ତି। ନବତିୟେହ ସହରକୁ ସଂଯୋଗ କରୁଥିବା ରାସ୍ତାରେ ଏକ ଗାଡ଼ି ଉପରେ ବୋମାମାଡ଼ ଯୋଗୁ ଜଣେ ବ୍ରିଗେଡିୟର ଜେନେରାଲ, ଜଣେ କ୍ୟାପ୍ଟେନ୍ ଏବଂ ଜଣେ ସୈନ୍ୟଙ୍କ ମୃତ୍ୟୁ ଘଟିଥିବା ସେନା ପକ୍ଷରୁ କୁହାଯାଇଛି।
ଦକ୍ଷିଣରେ ଥିବା ସାକାସାକିୟାହ ଗ୍ରାମରେ ଆଉ ଏକ ଏୟାରଷ୍ଟ୍ରାଇକ୍ରେ ୬ ଜଣଙ୍କ ମୃତ୍ୟୁ ଘଟିବା ସହ ଅନ୍ୟ ୪ ଜଣ ଆହତ ହୋଇଥିବା ସେଠାରେ ସରକାରୀ ଗଣମାଧ୍ୟମ ପ୍ରକାଶ କରିଛି।
ଲେବାନନ୍, ଏହାର ଜନତା ଓ ସେନା ବିରୋଧରେ ଇସ୍ରାଏଲ୍ର କ୍ରମାଗତ ଓ ଜାଣିଶୁଣି ଆକ୍ରମଣ କେବଳ ଆମର ସଂକଳ୍ପ, ବିଶ୍ୱାସ ଓ ଦୃଢ଼ତାକୁ ମଜଭୁତ କରୁଛି ବୋଲି ଲେବାନନ୍ ସେନା ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ଯୁଦ୍ଧବିରତି ସହ ସ୍ଥରିତା ବଜାୟ ରଖିବା ପାଇଁ ସମାଧାନ ପହଞ୍ଚିବା ଉଦ୍ୟମକୁ ବିଫଳ କରିବା ଇସ୍ରାଏଲ୍ ଆକ୍ରମଣର ଉଦ୍ଦେଶ୍ୟ ବୋଲି ଲେବାନନ୍ ସେନା କହିଛି। ଇସ୍ରାଏଲୀ ସେନା ଏକ ଗାଡ଼ି ଉପରେ ଏୟାରଷ୍ଟ୍ରାଇକ୍ କରିଥିବା ସ୍ପଷ୍ଟ କରିଛି ।