Categories: ଜାତୀୟ

ଧ୍ୱଜାବତରଣରେ ୧୦୦୦ ଡ୍ରୋନ୍‌ ଦ୍ୱାରା ଏୟାର ଶୋ’, ହଟିଲା ମହାତ୍ମାଙ୍କ ପସନ୍ଦ…

ନୂଆଦିଲ୍ଲୀ, ୨୯।୧ : ଶନିବାର ବିଜୟ ଚୌକଠାରେ ସାଧାରଣତନ୍ତ୍ର ଦିବସର ଧ୍ୱଜାବତରଣ  (ବିଟିଙ୍ଗ ରିଟ୍ରିଟ ) ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମହାତ୍ମା ଗାନ୍ଧୀଙ୍କ ପ୍ରିୟ ଭଜନ ଆବାଇଡ୍‌ ଓ୍ବିଥ୍‌ ମି (ମୋ ସହିତ ରୁହ)ର ଧୁନ୍‌କୁ ଚଳିତ ଥର ଉତ୍ସବରୁ ହଟାଇ ଦିଆଯାଇଛି। ଏହି ଉତ୍ସବରେ ୧୦୦୦ଟି ଡ୍ରୋନ୍‌ ଦ୍ୱାରା ଚିତ୍ତାକର୍ଷକ ଏୟାର ଶୋ’ ଦେଖିବାକୁ ମିଳିଛି। ଧ୍ୱଜାବତରଣ ଉତ୍ସବରେ ରାଷ୍ଟ୍ରପତି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉପସ୍ଥିତ ଥିଲେ।

ପ୍ରଥମ ଥର ପାଇଁ ଧ୍ୱଜାବତରଣରେ ଲତା ମଙ୍ଗେସକରଙ୍କ ଏ ମେରେ ଓ୍ବତନ କେ ଲୋଗୋଁ ଧୁନ୍‌ ବଜାଯାଇ। ଏହି ଗୀତକୁ ୧୯୬୩ରେ କବି ପ୍ରଦୀପ ଲେଖିଥିଲେ। ୫୮ ବର୍ଷ ତଳେ ଲତା ଏହାକୁ ଗାନ କରିଥିଲେ। ଏହା ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଜବାହର ଲାଲ୍‌ ନେହେରୁଙ୍କର ପସନ୍ଦର ଗୀତ ଥିଲା।

ଫନ୍‌ ଫେୟାର ଗୀତରୁ ଉତ୍ସବ ଆରମ୍ଭ ହୋଇଥିଲା । ଏହା ପରେ ମାସ ବ୍ୟାଣ୍ଡ ବୀର ସୈନିକ ଗୀତ ଏବଂ ପାଇପ ଏବଂ ଡ୍ରମ୍ସ ବ୍ୟାଣ୍ଡ ଦ୍ୱାରା ୬ ଟି ଧୁନ ବଜାଇଥିଲେ। କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର ବ୍ୟାଣ୍ଡ ତିନିଟି ଧୁନ୍‌ ବଜାଇଥିବାବେଳେ ଏୟାରଫୋର୍ସର ବ୍ୟାଣ୍ଡ ୪ ଟି ଧୁନ୍‌ ବଜାଇଥିଲେ। ଏଥିରେ ଫ୍ଲାଇଟ ଲ୍ୟୁଟନାଟ୍‌ ଏଲ.ଏସ ରୁପାଚନ୍ଦ୍ରନଙ୍କ ଏକ ସ୍ବନ୍ତ୍ର ଯୁଦ୍ଧ ଧୁନ୍‌କୁ ସାମିଲ କରାଯାଇଥିଲା।

ଏହା ପରେ ନୌସେନା ବ୍ୟାଣ୍ଡ ୪ ଟି ଧୁନ୍‌, ଆର୍ମି ମିଲିଟାରୀ ବ୍ୟାଣ୍ଡ କେରଳ ସିକି ଏ ମୋଲ ଏବଂ ହିନ୍ଦ କି ସେନା ୩ ଟି ଧୁନ୍‌, ମାସ ବ୍ୟାଣ୍ଡର ୩ଟି ଏବଂ କଦମ କଦମ ବଢ଼ାଏ ଯା,ଡ୍ରାମର୍ସ କଲ ଧୁନ୍‌ ବଜାଯାଇଥିଲା।
ସମାରୋହ ଶେଷରେ ’ସାରେ ଜାହାଁ ସେ ଆଛା’ର ଧୁନ୍‌ ବଜା ଯାଇଥିଲା। ସମାରୋହରେ ୪୪ ବିଗୁଲର୍‌, ୧୬ ତୂରୀ ବାଦ୍ୟକାର ଏବଂ ୭୫ ଜଣ ଡ଼୍ରମର୍‌ ଯୋଗଦେଇଥିଲେ।

 

Share