ରାଉରକେଲାରୁ ବିମାନସେବା ଆରମ୍ଭ

ରାଉରକେଲା,୩୧।୧(ସଙ୍ଗୀତା ଜେନା): ରାଉରକେଲା-କୋଲକାତା ବିମାନ ସେବା ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ଅପରାହ୍ନ ୨ଟାରେ କୋଲକାତାରୁ ଉକ୍ତ ବିମାନ ଆସି ରାଉରକେଲାରେ ଅବତରଣ କରିଥିଲା। ଏଥିରେ ୩୩ଜଣ ଯାତ୍ରୀ ଆସିଥିଲେ। ଏହାପରେ ବିମାନଟି ଭୁବନେଶ୍ୱର ଯାଇଥିଲା। ସେଠାରୁ ପୁଣି ରାଉରକେଲା ଆସି କୋଲକାତା ଯିବାର ଥିଲା। କିନ୍ତୁ ସନ୍ଧ୍ୟା ସମୟରେ ପାଗ ଖରାପ ଥିବାରୁ ବିମାନଟି ଆଉ ରାଉରକେଲା ନ ଯାଇ ସିଧା କୋଲକାତା ଯାଇଥିଲା। ଅପରାହ୍ନ ୫ଟା୩୮ରେ ବିମାନଟି କୋଲକାତା ଅଭିମୁଖେ ଯାଇଥିବା ଏଏଆଇ(ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ)ର ଅଧିକାରୀ ରାହୁଲ ସିଂହ ସୂଚନା ପ୍ରଦାନ କରିଛନ୍ତି।
ଅପରପକ୍ଷରେ ରାଉରକେଲା ବିମାନବନ୍ଦରରେ ସ୍ବତନ୍ତ୍ର ଭିଏଫ୍‌ଆର୍‌ ସିଷ୍ଟମରେ ବିମାନ ଅବତରଣ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିନାହିଁ। ଏହି ସିଷ୍ଟମରେ ବିମାନ ଚଳାଚଳ ପାଇଁ ଆଲିଏନ୍ସ ଏୟାରକୁ ଏପର୍ଯ୍ୟନ୍ତ ଡିଜିସିଏ ପକ୍ଷରୁ ଅନୁମତି ମିଳିପାରିନାହିଁ। ଆଗାମୀ ଦିନରେ ଭିଏଫ୍‌ଆର୍‌ ସିଷ୍ଟମରେ ବିମାନ ଅବତରଣ ହୋଇ ନ ପାରିଲେ ଏହି କ୍ଷେତ୍ରରେ ଅନିଶ୍ଚିତତା ଲାଗି ରହିବ। ଉକ୍ତ ବ୍ୟବସ୍ଥା ଶୀଘ୍ର ଲାଗୁ କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି। ଦୀର୍ଘ ଦେଢ଼ମାସ ବାତିଲ ହେବା ପରେ ଏହି ଚଳାଚଳ ନେଇ ରାଉରକେଲାବାସୀଙ୍କ ମଧ୍ୟରେ ଆଶାର ସଞ୍ଚାର ହୋଇଛି।