ବାୟୁ ପ୍ରଦୂଷଣ ମାର୍ଗଦର୍ଶିକା

‘ଭାରତରେ ବାୟୁ ପ୍ରଦୂଷଣ ହେଉଛି ପୃଥିବୀରେ ସର୍ବାଧିକ। ପୃଥିବୀର ସବୁଠାରୁ ପ୍ରଦୂଷିତ ସହର ହେଉଛି ଦିଲ୍ଲୀ । ୨୦୨୦ ମସିହାରେ ସେଠାରେ ପିଏମ୍‌ ୨.୫ର ପରିମାଣ ଅନୁମୋଦନୀୟ ପରିମାଣର ପ୍ରାୟ ୧୭ ଗୁଣ ଥିଲା । ଅନ୍ୟ ସହରଗୁଡ଼ିକ ମଧ୍ୟ ବେଶି ପଛରେ ନାହିଁ। ମୁମ୍ବାଇ, କୋଲକାତା ଓ ଚେନ୍ନାଇରେ ଏହି ପରିମାଣ ଯଥାକ୍ରମେ ୮ ଗୁଣ, ୯ ଗୁଣ ଓ ୫ ଗୁଣ ଅଧିକ ଥିଲା। ଭାରତରେ ପ୍ରଦୂଷିତ ବାୟୁ ଲୋକଙ୍କର ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଇବା ସହିତ ଦେଶର ଅର୍ଥନୀତି ଉପରେ ଏହାର କୁପ୍ରଭାବ ପଡ଼ିଥାଏ।“

ପୃଥିବୀର ପ୍ରାୟ ଅଧିକାଂଶ ଦେଶରେ ବର୍ତ୍ତମାନ ବାୟୁ ପ୍ରଦୂଷଣର ପରିମାଣ ବୃଦ୍ଧି ପାଇଛି। ସଭ୍ୟତାର ବିକାଶ ସଙ୍ଗେ ସଙ୍ଗେ କଳକାରଖାନା ସ୍ଥାପନ, ନିର୍ମାଣ କାର୍ଯ୍ୟ ଓ ଗାଡ଼ିମୋଟର ବ୍ୟବହାର କ୍ରମଶଃ ବୃଦ୍ଧି ପାଇଛି। ଏହା ହେଉଛି ବାୟୁ ପ୍ରଦୂଷଣର ମୁଖ୍ୟ କାରଣ। ଏଥିଯୋଗୁ ବାୟୁମଣ୍ଡଳରେ କାର୍ବନ ମନୋକ୍‌ସାଇଡ୍‌, ନାଇଟ୍ରୋଜେନ୍‌ ଅକ୍ସାଇଡ୍‌, ସଲ୍‌ଫର ଡାଇଅକ୍ସାଇଡ୍‌, ଓଜୋନ ଆଦି ଗ୍ୟାସ୍‌ ଏବଂ ସୂକ୍ଷ୍ମକଣିକାର ପରିମାଣ ବଢ଼ୁଛି ଯାହା ମନୁଷ୍ୟ ସ୍ବାସ୍ଥ୍ୟ ପ୍ରତି ଅତି କ୍ଷତିକାରକ।

ବାୟୁ ପ୍ରଦୂଷଣ ହେଉଛି ଆଜ୍‌ମା ଓ ଅନ୍ୟ ଫୁସ୍‌ଫୁସୀୟ ରୋଗ, ଦୀର୍ଘକାଳୀନ ଶ୍ୱସନୀ ପ୍ରଦାହ (ବ୍ରୋଙ୍କାଇଟିସ୍‌), କ୍ୟାନ୍‌ସର ଆଦି ରୋଗର କାରଣ। ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥା (ଓ୍ବାଲର୍‌ଡ ହେଲ୍‌ଥ ଅର୍ଗାନାଇଜେଶନ) ପ୍ରକାଶ କରିଛି ଯେ ବାୟୁ ପ୍ରଦୂଷଣ ଯୋଗୁ କେବଳ ଫୁସ୍‌ଫୁସୀୟ ରୋଗରେ ଆକ୍ରାନ୍ତ ହୋଇ ପୃଥିବୀରେ ବର୍ଷକୁ ୭୦ ଲକ୍ଷ ଲୋକ ମୃତ୍ୟୁବରଣ କରୁଛନ୍ତି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଗତ ୧୦ ବର୍ଷର ତଥ୍ୟ ଆଧାରରେ ମନୁଷ୍ୟ ସ୍ବାସ୍ଥ୍ୟ ଉପରେ ଅଧିକ ପ୍ରଭାବ ପକାଉଥିବା ୬ଟି ମୁଖ୍ୟ ବାୟୁ ପ୍ରଦୂଷକକୁ ଘୋଷଣା କରିଛି। ଏଗୁଡ଼ିକ ହେଉଛି ପିଏମ୍‌ ୨.୫, ପିଏମ୍‌ ୧୦, ଓଜୋନ୍‌, ନାଇଟ୍ରୋଜେନ୍‌ ଡାଇଅକ୍‌ସାଇଡ୍‌, ସଲ୍‌ଫର ଡାଇଅକ୍‌ସାଇଡ୍‌ ଓ କାର୍ବନ ମନୋକ୍‌ସାଇଡ୍‌। ପିଏମ୍‌ ହେଉଛି ପାଟକ୍ୟୁଲେଟ୍‌ ମ୍ୟାଟର ବା ଅତିକ୍ଷୁଦ୍ର କଣିକା। ୨.୫ ମାଇକ୍ରନ୍‌ (ଏକ ମାଇକ୍ରନ ହେଉଛି ମିଟରର ନିୟୁତ ଭାଗରୁ ଏକ ଭାଗ) ବା ତା’ଠାରୁ କମ୍‌ ଆକାରର କଣିକାକୁ ପିଏମ୍‌ ୨.୫ ଏବଂ ୧୦ ମାଇକ୍ରନ୍‌ କିମ୍ବା ତା’ଠାରୁ କମ୍‌ ଆକାରର କଣିକାକୁ ପିଏମ୍‌ ୧୦ କୁହାଯାଏ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ରିପୋର୍ଟ ଅନୁଯାୟୀ ପୃଥିବୀର ୯୦% ଲୋକ ଏଥିମଧ୍ୟରୁ ଅତିକମ୍‌ରେ ଗୋଟିଏ କ୍ଷତିକାରକ ପ୍ରଦୂଷକ ଥିବା ଜାଗାରେ ବାସ କରୁଛନ୍ତି।
ମନୁଷ୍ୟ ଶରୀର ପାଇଁ ଏହି ପ୍ରଦୂଷକଗୁଡ଼ିକର କେତେ ପରିମାଣ କ୍ଷତିକାରକ ହେବ, ତାହା ଉପରେ ଗବେଷଣା କରି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଏହି ପରିମାଣକୁ ସେହି ସ୍ତର ତଳେ ରଖିବା ପାଇଁ ମାର୍ଗଦର୍ଶିକା ଜାରି କରିଥାଏ। ଏହା ୨୦୦୫ ମସିହାରେ ଶେଷଥର ପାଇଁ ମାର୍ଗଦର୍ଶିକା ଜାରି କରିଥିଲା ଏବଂ ୨୦୨୧ ସେପ୍ଟେମ୍ବରରେ ଏହାର ସଂଶୋଧନ କରିଛି। କଡ଼ା ପଦକ୍ଷେପ ସ୍ବରୂପ ଏଥର ଏହା ସମସ୍ତ ପ୍ରଦୂଷକର ଅନୁମୋଦନ ଯୋଗ୍ୟ ପରିମାଣକୁ ହ୍ରାସ କରିଛି।
ପିଏମ୍‌ ୨.୫ର ପରିମାଣ ୨୦୦୫ରେ ଦୈନିକ ହାରାହାରି ଘନମିଟର ପ୍ରତି ୨୫ ମାଇକ୍ରୋଗ୍ରାମ୍‌ ନିର୍ଦ୍ଧାରଣ କରାଯାଇ ଥିବାବେଳେ ଏହି ବର୍ଷ ଏହାକୁ ୧୫କୁ ହ୍ରାସ କରାଯାଇଛି। ଅର୍ଥାତ୍‌ ଏହା ଘନମିଟର ପ୍ରତି ୧୫ ମାଇକ୍ରୋଗ୍ରାମ୍‌ରୁ ଅଧିକ ହେଲେ ବିପଜ୍ଜନକ। ବାସ୍ତବରେ ସମସ୍ତ ପ୍ରଦୂଷକଗୁଡ଼ିକ ମଧ୍ୟରେ ପିଏମ୍‌ ୨.୫ ହେଉଛି ଅଧିକ ମାରାତ୍ମକ। ଗ୍ରୀନ୍‌ପିସ୍‌ ସଂସ୍ଥାର ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ, ୨୦୨୦ ମସିହାରେ ପୃଥିବୀର ସବୁଠାରୁ ୧୦୦ ଜନବହୁଳ ସହର ମଧ୍ୟରେ ୭୯ଟିରେ ପିଏମ୍‌ ୨.୫ର ପରିମାଣ ଅନୁମୋଦନୀୟ ମାତ୍ରାଠାରୁ ଅଧିକ ଥିଲା। ସେହିପରି ପିଏମ୍‌ ୧୦ର ପରିମାଣ ୫୦ରୁ ୪୫କୁ ହ୍ରାସ କରାଯାଇଛି। ଓଜୋନ୍‌ର ଅନୁମୋଦନୀୟ ପରିମାଣ ପୂର୍ବରୁ ୮ ଘଣ୍ଟିଆ ସମୟରେ ହାରାହାରି ୧୦୦ ଥିବାବେଳେ ବର୍ତ୍ତମାନ ସେଥିରେ ପରିବର୍ତ୍ତନ କରାଯାଉ ନାହିଁ। ନାଇଟ୍ରୋଜେନ ଡାଇଅକ୍‌ସାଇଡ୍‌ ଓ କାର୍ବନ ମନୋକସାଇଡ୍‌ର ନିରାପଦ ପରିମାଣ ୨୦୦୫ ମସିହା ମାର୍ଗଦର୍ଶିକାରେ କିଛି ସ୍ଥିର କରାଯାଇ ନ ଥିବାବେଳେ ବର୍ତ୍ତମାନ ଏହାର ଦୈନିକ ହାରାହାରି ପରିମାଣ ଯଥାକ୍ରମେ ୨୫ ଓ ୪ ରଖାଯାଇଛି। ଏହିଥର କେବଳ ସଲ୍‌ଫର ଡାଇଅକ୍‌ସାଇଡର ଅନୁମୋଦନୀୟ ପରିମାଣକୁ ବୃଦ୍ଧି କରାଯାଇଛି। ଏହା ପୂର୍ବରୁ ଘନମିଟର ପ୍ରତି ୨୦ ମାଇକ୍ରୋଗ୍ରାମ୍‌ ଥିବାବେଳେ ଏବେ ଏହା ୪୦ ମାଇକ୍ରୋଗ୍ରାମ୍‌କୁ ବୃଦ୍ଧି କରାଯାଇଛି।
ଭାରତରେ ବାୟୁ ପ୍ରଦୂଷଣ ହେଉଛି ପୃଥିବୀରେ ସର୍ବାଧିକ। ପୃଥିବୀର ସବୁଠାରୁ ପ୍ରଦୂଷିତ ସହର ହେଉଛି ଦିଲ୍ଲୀ। ୨୦୨୦ ମସିହାରେ ସେଠାରେ ପିଏମ୍‌ ୨.୫ର ପରିମାଣ ଅନୁମୋଦନୀୟ ପରିମାଣର ପ୍ରାୟ ୧୭ ଗୁଣ ଥିଲା। ଅନ୍ୟ ସହରଗୁଡ଼ିକ ମଧ୍ୟ ବେଶି ପଛରେ ନାହିଁ। ମୁମ୍ବାଇ, କୋଲକାତା ଓ ଚେନ୍ନାଇରେ ଏହି ପରିମାଣ ଯଥାକ୍ରମେ ୮ଗୁଣ, ୯ଗୁଣ ଓ ୫ ଗୁଣ ଅଧିକ ଥିଲା। ଭାରତରେ ପ୍ରଦୂଷିତ ବାୟୁ ଲୋକଙ୍କର ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଇବା ସହିତ ଦେଶର ଅର୍ଥନୀତି ଉପରେ ଏହାର କୁପ୍ରଭାବ ପଡ଼ିଥାଏ। ଜଣାଯାଇଛି ଯେ ୨୦୧୫ରେ ଭାରତର ୧୧ ଲକ୍ଷ ଲୋକ ଏହା ଯୋଗୁ ମୃତ୍ୟୁବରଣ କରିଥିଲେ। ସେହିପରି ୨୦୧୯ରେ ଦେଶରେ ସମସ୍ତ ଅକାଳ ମୃତ୍ୟୁ ମଧ୍ୟରେ ବାୟୁ ପ୍ରଦୂଷଣ ଜନିତ ମୃତ୍ୟୁ ୧୮% ଥିଲା। ପୁନଶ୍ଚ ଆକଳନ କରାଯାଇଛି ଯେ, ୨୦୧୯ ମସିହାରେ ବାୟୁ ପ୍ରଦୂଷଣ ଯୋଗୁ ଦେଶର ଜିଡିପି (ମୋଟ ଘରୋଇ ଉତ୍ପାଦ) ୧.୪ ପ୍ରତିଶତ ହ୍ରାସ ପାଇଛି। ଭାରତରେ ବାୟୁ ପ୍ରଦୂଷଣର ମୁଖ୍ୟ ଭୟ ହେଉଛି ଯାନବାହନ, ତାପଜ ବିଦ୍ୟୁତ୍‌ କେନ୍ଦ୍ର ସମେତ ଭାରୀ ଶିଳ୍ପ, ଇଟାଭାଟି ସମେତ କେତେକ କ୍ଷୁଦ୍ରଶିଳ୍ପ, ନିର୍ମାଣ କାର୍ଯ୍ୟ, ଅଳିଆ ଆବର୍ଜନାକୁ ଖୋଲା ଜାଗାରେ ଜାଳିବା ଏବଂ ବିଭିନ୍ନ ଇନ୍ଧନର ଦହନ। ସେଣ୍ଟର ଫର୍‌ ପଲିସି ରିସର୍ଚ୍ଚ ଅନୁଯାୟୀ ଦିଲ୍ଲୀରେ ପିଏମ୍‌ ୨.୫ ପ୍ରଦୂଷଣ ପାଇଁ ଯାନବାହନ ୩୦%, ଜୈବିକ ବସ୍ତୁ ଦହନ (ମୁଖ୍ୟତଃ ଶସ୍ୟ ଅମଳ ପରେ କୁଟାକୁ ଜାଳିବା) ୨୦%, ରାସ୍ତା ଧୂଳି ଓ ନିର୍ମାଣ କାର୍ଯ୍ୟ ୨୦% ଦାୟୀ ହୋଇଥିବାବେଳେ ଅବଶିଷ୍ଟ ପାଇଁ ଶିଳ୍ପ, ଡିଜେଲ ଜେନେରେଟର ଓ ବିଦ୍ୟୁତ୍‌ କେନ୍ଦ୍ର ଦାୟୀ।
ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ନୂତନ ମାର୍ଗଦର୍ଶିକା ଅନୁଯାୟୀ ଭାରତର ଅଧିକାଂଶ ସହର ପ୍ରଦୂଷଣ କବଳରେ ରହୁଛି। ଏହି ମାର୍ଗଦର୍ଶିକା କୌଣସି ଦେଶ ପାଇଁ ବାଧ୍ୟତାମୂଳକ ନୁହେଁ। କିନ୍ତୁ ବିଜ୍ଞାନ ଗବେଷଣା ଓ ଅଧ୍ୟୟନରୁ ପ୍ରକାଶ ପାଇଥିବା ଏହି ମାର୍ଗଦର୍ଶିକାକୁ ଅନୁସରଣ କରିବା ଉଚିତ। ସୂଚନାଯୋଗ୍ୟ, ଯୁକ୍ତରାଷ୍ଟ୍ର ଆମେରିକା ଓ ୟୁରୋପୀୟ ଦେଶଗୁଡ଼ିକ ଏହାର ଠିକ୍‌ ଭାବେ ପାଳନ କରିଥାଆନ୍ତି।
ଭାରତର ନିଜସ୍ବ ପ୍ରଦୂଷଣ ମାର୍ଗଦର୍ଶିକା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ୨୦୦୫ ମସିହାର ମାର୍ଗଦର୍ଶିକାଠାରୁ ମଧ୍ୟ କୋହଳ। ଉଦାହରଣ ସ୍ବରୂପ ଭାରତରେ ବର୍ତ୍ତମାନ ଅନୁମୋଦନୀୟ ପିଏମ୍‌ ୨.୫ ପରିମାଣ ଘନମିଟର ପ୍ରତି ୬୦ ମାଇକ୍ରୋଗ୍ରାମ୍‌ ଅଛି, ଯାହା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ୨୦୦୫ ମସିହାର ମାର୍ଗଦର୍ଶିକାରେ ୨୫ ଥିଲା ଏବଂ ବର୍ତ୍ତମାନ ଏହା ୧୫ ହୋଇଛି। ଭାରତର ଏହି କୋହଳ ମାନକ ମଧ୍ୟ ଅନେକ ସ୍ଥାନରେ ରହୁ ନାହିଁ। ଲୋକଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଆମକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ନୂତନ ମାର୍ଗଦର୍ଶିକାକୁ ଆପଣାଇବାକୁ ପଡ଼ିବ।

ଇଂ. ମାୟାଧର ସ୍ବାଇଁ
-୭୦ ଲକ୍ଷ୍ମୀବିହାର, ଫେଜ୍‌-୧, ଭୁବନେଶ୍ୱର-୧୮
ମୋ: ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ଲମ୍ୱା ଯୁଦ୍ଧ ପାଇଁ ଆମେରିକାର ସଜବାଜ

ଓ୍ୱାଶିଂଟନ୍‌,୧୫ା୨: ଇରାନ ଏବଂ ଆମେରିକା ମଧ୍ୟରେ ଆଲୋଚନା ଫେଲ୍‌ ମାରିଛି। ଇରାନର ଆଣବିକ କାର୍ଯ୍ୟକ୍ରମକୁ ନେଇ ଗତ ସପ୍ତାହରେ ଓମାନ ମଧ୍ୟସ୍ଥତାରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା…

୧୨.୮୯ କୋଟି ଟଙ୍କାରେ ହେବ ସ୍ଥାୟୀ ରାଜମହଲ

ବରଗଡ଼,୧୫।୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ପାଇଁ ସାରାବିଶ୍ୱରେ ବରଗଡ଼ର ସ୍ୱତନ୍ତ୍ର ପରିଚୟ ରହିଛି। ଗତ ଜାନୁୟାରୀ ମାସରେ ୭୮ତମ ଧନୁଯାତ୍ରା ମହୋତ୍ସବ ସରିଯାଇଛି।…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

କୁଶପଲ୍ଲା ଜଙ୍ଗଲରୁ ହାତୀର ଗଳିତ ଶବ ଜବତ, ହାତୀକୁ ମାରି ଦାନ୍ତ ନେଇଗଲେ ଶିକାରି

ଖୋର୍ଦ୍ଧା,୧୫।୨(ପ୍ରଭାତ ପାଣିଗ୍ରାହୀ): ଖେର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଜଂରେ କିଛି ଦିନ ହେଲା ଜଙ୍ଗଲୀ ହାତୀ ଓ ମଣିଷ ଲଢେଇ ଚାଲିଛି। କେତେବେଳେ ମଣିଷ ତ ଆଉ କେତବେଳେ…

ହ୍ୟାଣ୍ଡଶେକ୍‌ ପ୍ରସଙ୍ଗକୁ ଏଡ଼ାଇଲେ ଉଭୟ ଅଧିନାୟକ

କଲମ୍ୱୋ,୧୫ା୨(ପି.ଟି.): ଆମେ ହାତ ମିଳାଇବୁ କି ନାହିଁ, ତାହା ମ୍ୟାଚ୍‌ ପୂର୍ୱରୁ ଜଣାପଡ଼ିବ। କ୍ରିକେଟ ଉଚିତ ଭାବନା ସହ ଖେଳାଯିବା ଦରକାର। ହେଲେ ମୋ ବ୍ୟକ୍ତିଗତ ମତାମତ…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

ଚୋର ସନ୍ଦେହ: ଯୁବକଙ୍କୁ ପିଟି ହତ୍ୟା

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାର୍ଦ୍ଦୁଳ ଗ୍ରାମରେ ଶୁକ୍ରବାର ବିଳମ୍ୱିତ ରାତିରେ ଏକ ଅମାନବୀୟ ଘଟଣା ଘଟିଛି। ଚୋର ସନ୍ଦେହରେ ଗ୍ରାମର କେତେଜଣ ଲୋକ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri