ଡୋପ୍‌ ଟେଷ୍ଟରେ ଧରାପଡ଼ିଥିବା ଏୟାର ଇଣ୍ଡିଆ ପାଇଲଟ୍‌ ବହିଷ୍କୃତ

ନୂଆଦିଲ୍ଲୀ,୫ା୯: ଫୁକେଟ୍‌ରୁ ଦିଲ୍ଲୀ ଉଡ଼ାଣ ବେଳେ ବିମାନ ହଠାତ୍‌ ୩୦୦ ଫୁଟ୍‌ ଖସିବା ଘଟଣା ପରେ ନିଷେଧ ନିଶାଦ୍ରବ୍ୟ ସେବନ କରିଥିବା ଡୋପ୍‌ ଟେଷ୍ଟରୁ ଧରାପଡ଼ିବା ପରେ ପାଇଲଟ୍‌-ଇନ୍‌-କମାଣ୍ଡଙ୍କୁ ବହିଷ୍କାର କରାଯାଇଥିବା ଏୟାର ଇଣ୍ଡିଆ ଶୁକ୍ରବାର କହିଛି। ଏୟାର ଇଣ୍ଡିଆର ଏୟାରବସ୍‌ ଏ ୩୨୦ ଅଗଷ୍ଟ ୪ରେ ଫୁକେଟ୍‌ରୁ ଦିଲ୍ଲୀ ଯାଉଥିବାବେଳେ ୩୬,୦୦୦ ଫୁଟ୍‌ ଉଚ୍ଚତାରେ ଏହାର ୩ଟି ଯାକ ହାଇକ୍ରୋଲିକ୍‌ ସିଷ୍ଟମ୍‌ ଏକସଙ୍ଗେ କାମ କରିବା ବନ୍ଦ ହୋଇଯାଇଥିଲା। ଫଳରେ ୧୪୫ ଯାତ୍ରୀ ଥିବା ଉକ୍ତ ବିମାନର ଅଟୋପାଇଲଟ୍‌ କାମ କରି ନ ଥିଲା। ଏହାର ଗତି କମିଯିବା ସତର୍କ ସୂଚନା ଆସିବା ସହ ଉଚ୍ଚତାରେ ଅସ୍ବାଭାବିକ ପରିବର୍ତ୍ତନ ଯୋଗୁ ୨୪ ଯାତ୍ରୀ ଆହତ ହୋଇଥିଲେ। ନିଷିଦ୍ଧ ନିଶାଦ୍ରବ୍ୟ ନେଇଥିବା ପାଇଲଟ୍‌ଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଏୟାର ଆକ୍ସିଡେଣ୍ଟ ଇନ୍‌ଭେଷ୍ଟିଗେଶନ ବ୍ରାଞ୍ଚ (ଏଏଆଇବି) ସୁପାରିସ କରିଥିଲା। ତେବେ ବିମାନର ହାଇଡ୍ରୋଲିକ୍‌ ସିଷ୍ଟମ ବିଫଳ ହେବା ସହ ପାଇଲଟ୍‌ ନିଶାଦ୍ରବ୍ୟ ନେଇଥିବାର ସମ୍ପର୍କ ରହିଛି କି ନାହିଁ ତାହା ସ୍ପଷ୍ଟ ହୋଇନି। ଦୁର୍ଘଟଣାର ବୈଷୟିକ ଓ ଅନ୍ୟାନ୍ୟ ଦିଗଗୁଡ଼ିକ ଉପରେ ତଦନ୍ତ ଜାରି ରହିଥିବା ଏଏଆଇବି କହିଛି।

Odisha’s No.1 Odia Daily

Share