Categories: ଜାତୀୟ

ବାୟୁସେନାର ୮୯ତମ ପ୍ରତିଷ୍ଠା ଦିବସ: ପ୍ରଦର୍ଶିତ ହେବ ଲଢୁଆ ବିମାନ

ଲକ୍ଷ୍ନୌ,୮।୧୦:ଆଜି ହେଉଛି ଭାରତୀୟ ବାୟୁସେନାର ୮୯ତମ ପ୍ରତିଷ୍ଠା ଦିବସ। ଏହି ଅବସରରେ ଉତ୍ତରପ୍ରଦେଶ ହିଣ୍ଡନ ଏୟାରବେସ୍‌ରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ବାୟୁସେନାର ବିଭିନ୍ନ ବିମାନ ପକ୍ଷରୁ ସାମରିକ କୌଶଳ ପ୍ରଦର୍ଶନ କରାଯିବା ସହ ଲଢୁଆ ବିମାନ ମଧ୍ୟ ପ୍ରଦର୍ଶିତ ହେବ। ବାୟୁସେନା ପ୍ରତିଷ୍ଠା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାୟୁ ଯୋଦ୍ଧା ଓ ସେମାନଙ୍କ ପରିବାରବର୍ଗଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଆଜି ସ୍ବଦେଶୀ ବିମାନ ତେଜ ସମେତ ଫ୍ରାନ୍ସରୁ ଆସିଥିବା ରାଫାଲ ଆକାଶରେ ନିଜର ଶକ୍ତି ପ୍ରଦର୍ଶନ କରିବେ। ଏଥର ପ୍ରତିଷ୍ଠା ଦିବସର ବିଷୟବସ୍ତୁ ଆତ୍ମନିର୍ଭରଶୀଳ ଏବଂ ସକ୍ଷମ ଅଟେ। ଭାରତ-ପାକ ଯୁଦ୍ଧର ପଚାଶ ବର୍ଷ ସମାପ୍ତ ହେବାପରେ ବାୟୁସେନା କର୍ମଚାରୀମାନେ ସେମାନଙ୍କର ବୀରତ୍ୱର ଏକ ବିଶେଷ ପ୍ରଦର୍ଶନ କରିବେ।
ସୂଚନାଯୋଗ୍ୟ, ୧୯୩୨ ମସିହା ଆଜିର ଦିନରେ ଭାରତୀୟ ବାୟୁସେନା ସ୍ଥାପନ କରାଯାଇଥିଲା। ଏହା ପରଠାରୁ ଭାରତୀୟ ବାୟୁସେନା ଦେଶପାଇଁ ଅନେକ ସେବା କରି ଆସୁଛି। ସ୍ବାଧୀନତା ପରେ ଭାରତୀୟ ବାୟୁସେନା ଚାଇନା ଓ ପାକିସ୍ତାନ ସହ ଯୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛି। ଭାରତୀୟ ସୀମାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ବାୟୁସେନାର ଉଦ୍ୟମ ପ୍ରଶଂସନୀୟ। ଏଥିସହ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଭାରତୀୟ ବାୟୁସେନା ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରିଥାଏ।

Share