ଗ୍ରାମାଞ୍ଚଳରେ ପରିବର୍ତ୍ତନ ଆଣିବା ଲକ୍ଷ୍ୟ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ବଣ୍ଟନ

ଛତ୍ରପୁର,୧୪ା୧୧(ଦିଲ୍ଲୀପ ସାମଲ): ପଞ୍ଚାୟତରେ ସୁଶାସନ ପ୍ରତିଷ୍ଠା ସହ ଗ୍ରାମାଞ୍ଚଳରେ ପରିବର୍ତ୍ତନ ଆଣିବା ଲକ୍ଷ୍ୟରେ ଗଞ୍ଜାମ ଜିଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ର ଲକ୍ଷ୍ୟ ବଣ୍ଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଶନିବାର ଜିଲା ପରିଷଦର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗ୍ୟ ହିତାଧିକାରୀଙ୍କୁ ପକ୍କାଘର ଯୋଗାଇଦେବା ଏବଂ ଗୃହ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।
ଏଥିରେ ବ୍ରହ୍ମପୁର ଏମ୍‌ପି ଡ. ପ୍ରଦୀପ କୁମାର ପାଣିଗ୍ରାହୀ, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଗଞ୍ଜାମ ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟ କୁମାର ବେହେରା, ଛତ୍ରପୁର ବିଡିଓ ସମ୍ବିତ ସଂଗ୍ରାମଜିତ୍‌ ଏବଂ ପ୍ରୋଗ୍ରାମ ମ୍ୟାନେଜର (ଗ୍ରାମୀଣ) ସୌମ୍ୟରଞ୍ଜନ ହୋତାଙ୍କ ସମେତ ବହୁ ସରପଞ୍ଚ, ସମିତି ସଭ୍ୟସଭ୍ୟା, ମିଶନ ଶକ୍ତିର ମହିଳା ଓ ହିତାଧିକାରୀ ଉପସ୍ଥିତ ଥିଲେ। ଏହି ଯୋଜନା ଅଧୀନରେ ଗଞ୍ଜାମ ଜିଲାକୁ ମିଳିଥିବା ନୂତନ ଗୃହ ନିର୍ମାଣ ଲକ୍ଷ୍ୟକୁ ବିଭିନ୍ନ ବ୍ଲକ ଓ ପଞ୍ଚାୟତ ମଧ୍ୟରେ ବଣ୍ଟନ କରାଯିବ। ଗରିବ, ଅସହାୟ ଓ ଗୃହହୀନ ପରିବାରଙ୍କୁ ଯୋଜନାରେ ସାମିଲ କରି ସୁରକ୍ଷିତ ପକ୍କା ଘର ଯୋଗାଇଦେବା ସହ ସେମାନଙ୍କ ଜୀବନଧାରଣର ମାନରେ ଉନ୍ନତି ଆଣିବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ।
ଅନ୍ୟପକ୍ଷରେ, ଗଞ୍ଜାମ ଜିଲାକୁ ମୋଟ କେତେ ଘର ନିର୍ମାଣର ଲକ୍ଷ୍ୟ ମିଳିଛି ଏବଂ ବ୍ଲକଓ୍ବାରୀ ଓ ପଞ୍ଚାୟତଓ୍ବାରୀ କେତେ ଘର ବଣ୍ଟନ ହେବ, ତାହାକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ଉତ୍ସୁକତା ପ୍ରକାଶ ପାଇଛି। ଏହି ଲକ୍ଷ୍ୟ ବଣ୍ଟନ ଗ୍ରାମାଞ୍ଚଳରେ ଗୃହ ନିର୍ମାଣ କାର୍ଯ୍ୟକୁ ନୂତନ ଗତି ଦେବା ସହ ଗୃହହୀନ ପରିବାରଙ୍କ ସ୍ବପ୍ନପୂରଣରେ ସହାୟକ ହେବ ବୋଲି ଆଶା କରାଯାଉଛି। ଏହାସହିତ ବଲାଙ୍ଗୀରଠାରେ ଆୟୋଜିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଗୃହ ବଣ୍ଟନ ଶୁଭାରମ୍ଭର ସ୍ବତନ୍ତ୍ର କାର୍ଯ୍ୟକ୍ରମକୁ ଏଲଇଡି ମାଧ୍ୟମରେ ଉପସ୍ଥିତ ସମସ୍ତେ ଦେଖିଥିଲେ।

Dharitri – Odisha’s No.1 Odia Daily

Share