Categories: ଜାତୀୟ

‘ମୋତେ ହତ୍ୟା କରାଯାଇପାରେ’

ନୂଆଦିଲ୍ଲୀ,୨୪।୯: ଲୋକ ସଭା ଏମ୍‌ପି ଏବଂ ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱାଇସି ଲୋକ ସଭା ବାଚସ୍ପତି ଓମ ବିର୍ଲାଙ୍କୁ ସୁରକ୍ଷା ଦାବିରେ ଏକ ଚିଠି ଲେଖିଛନ୍ତି। ସେ ଲେଖିଛନ୍ତି ଯେ, ଦିଲ୍ଲୀରେ ଥିବା ତାଙ୍କ ଘରେ ହୋଇଥିବା ଭଙ୍ଗାରୁଜା ପରେ ତାଙ୍କ ସୁରକ୍ଷା ପ୍ରତି ବିପଦ ରହିଛି। ଏଭଳି ପରିସ୍ଥିତିରେ ତାଙ୍କୁ ସୁରକ୍ଷା ଯୋଗାଇ ଦିଆଯିବା ଉଚିତ୍‌। ଏଥିସହ ଘରେ ହୋଇଥିବା ଭଙ୍ଗାରୁଜା ଘଟଣାର ତଦନ୍ତ ସଂସଦର ବିଶେଷାଧିକାର କମିଟିକୁ ଦିଆଯିବା ଉଚିତ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି। ଓୱାଇସି ଅଭିଯୋଗ କରିଛନ୍ତି ଯେ ଆକ୍ରମଣକାରୀମାନେ ତାଙ୍କ ବଙ୍ଗଳା ଭିତରକୁ ଯାଇ ସେଠାରେ ଉପସ୍ଥିତ ଥିବା କେୟାର ଟେକର୍‌ ରାଜୁ ଲାଲଙ୍କୁ ପିଟିଥିଲେ। ଏପରିକି ମୋତେ ହତ୍ୟା ଧମକ ଦିଆଯାଇଥିଲା। ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହ ଗ୍ରହଣ କରି ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରାଯାଉ ବୋଲି ସେ ଦାବି କରିଛନ୍ତି।
ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ୨୧ରେ ହିନ୍ଦୁ ସେନା କାର୍ଯ୍ୟକର୍ତ୍ତାମାନେ ନୂଆଦିଲ୍ଲୀର ୨୪-ଅଶୋକ ରୋଡରେ ଓୱାଇସିଙ୍କ ବାସଭବନ ବାହାରେ ପ୍ରଦର୍ଶନ କରିଥିଲେ ଏବଂ ପରେ ଭଙ୍ଗାରୁଜା କରାଯାଇଥିଲା। ବିକ୍ଷୋଭକାରୀମାନେ ଓୱାଇସିଙ୍କ ଘର ବାହାରେ ଲାଗିଥିବା ନମ୍ବର ପ୍ଲେଟ ମଧ୍ୟ ଭାଙ୍ଗିଥିଲେ। ଆକ୍ରମଣ ବେଳେ ଓୱାଇସି ଘରେ ଉପସ୍ଥିତ ନ ଥିଲେ। ଏହି ଭଙ୍ଗାରୁଜା ଖବର ପାଇବା ପରେ ପାଞ୍ଚ ଜଣଙ୍କୁ ପୋଲିସ ଗିରଫ କରିଥିଲା।

Share