କରୋନା ସଙ୍କଟ ମଧ୍ୟରେ ଷ୍ଟ୍ରାଇକ୍‌ରେ ଗଲେ ଏମ୍ସ ନର୍ସ

ପାଟନା,୨୩।୭: ବିହାରରେ ମହାମାରୀ କରୋନା ଭାଇରସ୍‌ ଦିନକୁ ଦିନ ନିଜର କାୟା ବିସ୍ତାର କରିବାରେ ଲାଗିଛି। ହସ୍ପିଟାଲରେ ରୋଗୀଙ୍କୁ ଶଯ୍ୟା ମିଳୁନାହିଁ। ଆଉ ଯାହାକୁ ମିଳୁଛି ସେମାନେ ସ୍ବାସ୍ଥ୍ୟ ସୁବିଧା ପାଇପାରୁ ନାହାନ୍ତି। ଇତିମଧ୍ୟରେ ପାଟନା ଏମ୍ସରେ ୪୦୦ କଣ୍ଟ୍ରାକ୍‌ଚୁଆଲ ନର୍ସ ଷ୍ଟ୍ରାଇକ୍‌ରେ ଯାଇଥିବା ଜଣାପଡ଼ିଛି। ପାଟନା ଏମ୍ସ ବିହାରର ଏକମାତ୍ର କେନ୍ଦ୍ରୀୟ ହସ୍ପିଟାଲ ଯେଉଁଠାରେ ଭିଭିଆଇପି କରୋନା ରୋଗୀଙ୍କ ଚିକିତ୍ସା କରାଯାଉଛି। ଏଭଳି ସ୍ଥିତିରେ ନର୍ସ ଷ୍ଟ୍ରାଇକ୍‌ରେ ଯିବା ସ୍ବାସ୍ଥ୍ୟସେବା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଚାକିରିର ସୁରକ୍ଷା, ବର୍ଦ୍ଧିତ ଦରମା, ସ୍ବାସ୍ଥ୍ୟ ବୀମା ଓ ସ୍ଥାୟୀ କର୍ମଚାରୀଙ୍କ ଭଳି ଛୁଟି ସମେତ ଆଉ କେତେକ ଦାବିରେ ନର୍ସମାନେ ଏହି ଷ୍ଟ୍ରାଇକ୍‌ କରିଛନ୍ତି। ଅନ୍ୟପଟେ ଏମ୍ସ ପ୍ରଶାସନଙ୍କ କହିବା କଥା ଆନ୍ଦୋଳନରତ ନର୍ସଙ୍କ କେତେକ ଦାବି ମାନିନିଆଯାଇଛି। ହେଲେ ଏହା ସତ୍ତ୍ୱେ ମଧ୍ୟ ନର୍ସଙ୍କ ଆନ୍ଦୋଳନ ଜାରି ରହିଛି। ଫଳରେ ରୋଗୀଙ୍କୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ସୂଚନାଯୋଗ୍ୟ, ବିହାରରେ ଏପର୍ଯ୍ୟନ୍ତ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦,୩୬୯ରେ ପହଞ୍ଚିଛି। ସେଥିମଧ୍ୟରୁ ୧୦ହଜାର ଚିକିତ୍ସିତ ହେଉଥିବା ବେଳେ ୧୯ହଜାର ଆକ୍ରାନ୍ତ ସୁସ୍ଥ ଓ ୨୧୭ ଜଣଙ୍କ ମୃତ୍ୟୁ ଘଟିସାରିଛି।

Share