Categories: ଜାତୀୟ

ମାତ୍ର ୯୦ ସେକେଣ୍ଡ୍‌ରେ ଗର୍ଭସ୍ଥ ଶିଶୁର ହେଲା ଅସ୍ତ୍ରୋପଚାର

ନୂଆଦିଲ୍ଲୀ,୧୫।୩: ଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (ଏମ୍ସ)ରେ ବିରଳ ଅସ୍ତ୍ରୋପଚାର ହୋଇଛି। ମହିଳାଙ୍କ ଗର୍ଭରେ ବଢୁଥିବା ଗର୍ଭସ୍ଥ ଶିଶୁର ହୃଦପିଣ୍ଡ ମାତ୍ର ୯୦ ସେକେଣ୍ଡରେ ସଫଳ ଅପରେଶନ ହୋଇଛି। ପ୍ରସୂତି ଏବଂ ସ୍ତ୍ରୀ ରୋଗ ବିଭାଗର ଏକ ବିଶେଷଜ୍ଞ ଟିମ୍‌ ଏହି ପ୍ରକ୍ରିୟାକୁ ସଫଳ କରିଛନ୍ତି। ଏବେ ମା’ ଏବଂ ଜନ୍ମିତ ହେବାକୁ ଥିବା ଶିଶୁର ସ୍ବାସ୍ଥ୍ୟାବସ୍ଥା ଭଲ ରହିଛି।
ସୂଚନାଯୋଗ୍ୟ, ଦିଲ୍ଲୀ ଏମ୍ସରେ ୨୮ ବର୍ଷୀୟା ଗର୍ଭବତୀ ମହିଳା ଚିକିତ୍ସା ପାଇଁ ଆସିଥିଲେ। ପରୀକ୍ଷା ସମୟରେ ଜଣାପଡିଥିଲା ମହିଳାଙ୍କ ଗର୍ଭରେ ବଢୁଥିବା ଶିଶୁଟିର ହୃତପିଣ୍ଡ ନାହିଁ। ତେଣୁ ଶିଶୁର ହୃଦପିଣ୍ଡ ଅସ୍ତ୍ରୋପଚାର କରିବାକୁ ପଡିବ, ନ ହେଲେ ଶିଶୁଟି ବିନା ହୃତପିଣ୍ଡରେ ଜନ୍ମ ନେବ। ଏନେଇ ତାଙ୍କ ମାତାପିତାଙ୍କୁ ପ୍ରଥମେ ପଚରାଯାଇଥିଲା। ସେମାନେ ରାଜି ହେବା ପରେ ଏମ୍ସସ୍ଥିତ କାର୍ଡିଓଥୋରାସିକ୍‌ ସାଇନ୍ସ ସେଣ୍ଟରରେ କରାଯାଇଥିଲା। ଏକ କ୍ଷୁଦ୍ର ଅଙ୍ଗୁର ଆକାରର ହାର୍ଟ ବେଲୁନ ଡାଏଲେସସନ୍‌ କରାଯାଇଥିଲା। ଅଲ୍‌ଟ୍ରାସାଉଣ୍ଡ୍‌ ମାଧ୍ୟମରେ ଏହି ସମସ୍ତ ପ୍ରକ୍ରିୟା ୯୦ ସେକେଣ୍ଡ ମଧ୍ୟରେ କରାଯାଇଥିଲା। ପ୍ରଥମେ ମା’ ପେଟ ଦେଇ ଏକ ଛୁଞ୍ଚି ପ୍ରବେଶ କରାଯାଇ ଏକ ବେଲୁନ କ୍ୟାଥେର୍‌ ମାଧ୍ୟମରେ ଭଲବଠାରେ ଥିବା ପ୍ରତିବନ୍ଧକକୁ ହଟାଯାଇଥିଲା। ଏହାପରେ ଗର୍ଭସ୍ଥ ଶିଶୁ ହୃତପିଣ୍ଡରେ ରକ୍ତ ପ୍ରବାହ ସ୍ବାଭାବିକ ହୋଇଥିଲା। ହୃଦ୍‌ରୋଗ ଏବଂ ହୃଦ୍‌ରୋଗ ଆନାସ୍ଥେସିଆ ବିଭାଗର ଡାକ୍ତରମାନେ ଗର୍ଭସ୍ଥ ଶିଶୁର ଚିକିତ୍ସା ଉପରେ ନଜର ରଖିଛନ୍ତି। ଭ୍ରୁଣର ହୃଦୟ ଚାମ୍ବର ଭବିଷ୍ୟତରେ ସଠିକ ଭାବରେ ବିକାଶ ହେବ କି ନାହିଁ ତାହା ଦେଖାଯାଉଛି। ସମ୍ପୃକ୍ତ ମହିଳାଙ୍କ ପୂର୍ବରୁ ୩ଥର ଗର୍ଭପାତ ହୋଇସାରିଥିଲା। ଏବେ ସେ ନିଜ ଶିଶୁକୁ ହରାଇବାକୁ ଚାହୁଁ ନ ଥିଲେ। ସେଥିପାଇଁ ସେ ଅସ୍ତ୍ରୋପଚାର ପାଇଁ ରାଜି ହୋଇଥିଲେ।

Share