ଓ୍ବାଶିଂଟନ,୧୪ା୯: କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ଦୁରୁପଯୋଗ ହୋଇପାରେ ବୋଲି ଆନ୍ଥ୍ରୋପିକ୍ ସିଇଓ ଡାରିଓ ଆମୋଦେଇ ଆଶଙ୍କା ବ୍ୟକ୍ତ କରିଛନ୍ତି। ତେଣୁ ଏଆଇର କ୍ଷମତା ବୃଦ୍ଧି ହାର କମାଇବା ପାଇଁ ସେ ଅନ୍ୟ ଏଆଇ କମ୍ପାନୀଗୁଡ଼ିକୁ ଆହ୍ବାନ ଦେଇଛନ୍ତି। ଏହି ବିକାଶକୁ ନିୟନ୍ତ୍ରଣ କରିବା ଏବଂ ସମ୍ଭାବ୍ୟ ବିପଦର ମୁକାବିଲା ପାଇଁ ଅଧିକ ସମୟ ପାଇବା ନିମନ୍ତେ ସେ ଏକ ୩ ଦଫା ଢାଞ୍ଚା ଉପସ୍ଥାପନ କରିଛନ୍ତି।
ଆମୋଦେଇ କହିଛନ୍ତି, ଏଆଇ ମଡେଲଗୁଡ଼ିକର ସାମର୍ଥ୍ୟ ବୃଦ୍ଧି କରିବାରେ କମ୍ପାନୀଗୁଡ଼ିକ ନିୟୋଜିତ ଅଛନ୍ତି। ତେବେ ଆମକୁ ଏହି ସାମର୍ଥ୍ୟ ବୃଦ୍ଧି ଧାରାକୁ ମନ୍ଥର କରିବାକୁ ହେବ। ଆମେ ପାଉଥିବା ସମୟକୁ ବୁଦ୍ଧିମାନ୍ର ସହ ବ୍ୟବହାର କରିବାକୁ ହେବ ବୋଲି ସେ Xରେ ଏକ ଦୀର୍ଘ ନିବନ୍ଧ ଲେଖି ଶେୟାର କରିଛନ୍ତି।
ଆମାଦେଇଙ୍କ ୩ ପର୍ଯ୍ୟାୟ ଯୋଜନାଗୁଡ଼ିକ ହେଲା, ସୁରକ୍ଷା ଅଭ୍ୟାସଗୁଡ଼ିକୁ ଯାଞ୍ଚ କରିବା ପାଇଁ କର୍ମଚାରୀଙ୍କ ଭଳି ପ୍ରବେଶାଧିକାର ସମେତ ସ୍ବାଧୀନ ମୂଲ୍ୟାୟନକାରୀଙ୍କୁ ନିୟୋଜିତ କରିବାକୁ ହେବ। ସୁରକ୍ଷା ମାନଦଣ୍ଡ ସ୍ଥିର କରିବା ଏବଂ ଅନିୟନ୍ତ୍ରିତ ଏଆଇ ବିକାଶକୁ ସୀମିତ କରିବା ପାଇଁ ଅଗ୍ରଣୀ ଏଆଇ ଫାର୍ମଗୁଡ଼ିକ ମଧ୍ୟରେ ସମନ୍ବୟ ରକ୍ଷା କରିବାକୁ ହେବ। ଏଥିସହିତ ଏଆଇ ସମ୍ବନ୍ଧୀୟ ବିପଦଗୁଡ଼ିକୁ ପରିଚାଳନା କରିବା ନିମନ୍ତେ ଅନ୍ତର୍ଜାତୀୟ ସହଯୋଗ ବଢ଼ାଇବାକୁ ହେବ।
ଏକ୍ସଏଆଇ ଚଳାଉଥିବା ଏଲନ୍ ମକ୍ସ ଏବଂ ଓପନ ଏଆଇର ସିଇଓ ସାମ୍ ଅଲ୍ଟମ୍ୟାନ୍ କହିଛନ୍ତି, ସେମାନେ ଆମୋଦେଇଙ୍କ ପ୍ରସ୍ତାବରେ ସହମତ। କର୍ମଚାରୀଙ୍କ ଭଳି ପ୍ରବେଶାଧିକାର ସମେତ ସ୍ବାଧୀନ ମୂଲ୍ୟାୟନକାରୀ ନିୟୋଜିତ କରିବା ଏକ ମହାନ ବିଚାର ଏବଂ ଆମେ ଏହା କରିବୁ ବୋଲି ଅଲ୍ଟମ୍ୟାନ୍ କହିଛନ୍ତି।
ସାନ୍ଫ୍ରାନ୍ସିସ୍କୋସ୍ଥିତ ଆନ୍ଥ୍ରୋପିକ୍ ବିପଦ ସମ୍ପର୍କିତ ଏକ ଗୋଇନ୍ଦା ରିପୋର୍ଟ ଗତ ଗୁରୁବାର ପ୍ରକାଶ କରିବା ପରେ ଆମୋଦେଇ ତାଙ୍କ ନିବନ୍ଧକୁ ସର୍ବସାଧାରଣରେ ପ୍ରକାଶ କରିଛନ୍ତି। ବିଭିନ୍ନ ଅସ୍ତ୍ରର ବିକାଶ, ସାଇବର ଅପରାଧଠାରୁ ଆରମ୍ଭ କରି ସତର୍କ ନଜର ରଖିବା ଏବଂ ଠକେଇ ଆଦି କାର୍ଯ୍ୟରେ ଆନ୍ଥ୍ରୋପିକ୍ର କ୍ଲାଉଡ୍ ଏଆଇ ମଡେଲକୁ କେତେଜଣ ବ୍ୟକ୍ତି ବ୍ୟବହାର କରୁଥିବା ରିପୋର୍ଟରେ ଦର୍ଶାଯାଇଥିଲା।
ଏଆଇରୁ ସମ୍ଭାବ୍ୟ କ୍ଷତି ବିଷୟରେ ସେତେବେଳେ ଚିନ୍ତା ପ୍ରକାଶ ପାଇଲା, ଯେତେବେଳେ ଆନ୍ଥ୍ରୋପିକ୍ର ଗବେଷକ ଜାକୋବ କକ୍ସନ ନିଜ ପଦବୀରୁ ଇସ୍ତଫା ଦେଲେ। ସେ ଲେଖିଥିଲେ ଯେ, ଏଆଇ ପ୍ରସ୍ତୁତ କରୁଥିବା ଲୋକମାନେ ଆନ୍ତରିକ ଭାବେ ବିଶ୍ୱାସ କରନ୍ତି ଯେ, ଏହା ଦଶକ ଶେଷ ସୁଦ୍ଧା ଆମ ସମସ୍ତଙ୍କୁ ମାରିଦେଇପାରେ। ଆନ୍ଥ୍ରୋପିକ୍ ନିଜକୁ ସବୁଠୁ ଅଧିକ ସୁରକ୍ଷା ସଚେତନ ଅଗ୍ରଣୀ ଲାବରେଟୋରି ଭାବେ ପ୍ରତିଷ୍ଠା କରିଛି। କିନ୍ତୁ ଏହା ଉପରୋକ୍ତ ଚିନ୍ତାଠାରୁ ମୁକ୍ତ ନୁହେଁ। ଗତ ସପ୍ତାହରେ ଏହା ଏକ ଏଆଇ ମଡେଲ ଦ୍ୱାରା ବାହ୍ୟ ସିଷ୍ଟମକୁ ହ୍ୟାକ୍ କରିବାର ଅନ୍ୟ ଏକ ଘଟଣା ପ୍ରକାଶ କରିଥିଲା। ଏହା ପୂର୍ବରୁ ଗତ ଜୁଲାଇରେ ସାଇବର ସୁରକ୍ଷା ପରୀକ୍ଷା ସମୟରେ ଏହାର କ୍ଲାଉଡ୍ ମଡେଲଗୁଡ଼ିକ ୩ଟି କମ୍ପାନୀର ସିଷ୍ଟମ୍କୁ ହ୍ୟାକ୍ କରିଥିବା ଜଣାପଡ଼ିଥିଲା। ନିଜ ସୁରକ୍ଷା ବ୍ୟବସ୍ଥା ଉପରେ ବିଶ୍ୱାସ ଦୃଢ଼ କରିବା ପାଇଁ ଯଦି ଆବଶ୍ୟକ ପଡେ, ତେବେ ପ୍ରମୁଖ ଲାବରେଟୋରିଗୁଡ଼ିକ ସ୍ବେଚ୍ଛାକୃତ ଭାବେ ନିଜ କାର୍ଯ୍ୟର ଗତିକୁ ଧିମା କରିବା ପାଇଁ ପ୍ରସ୍ତୁତ ରହିବା ଉଚିତ ବୋଲି ବିଭିନ୍ନ ଓପନ୍ଏଆଇ କାର୍ଯ୍ୟନିର୍ବାହୀମାନେ ପ୍ରସ୍ତାବ ଦେଇଛନ୍ତି।