ନେପୋଲିଅନଙ୍କ ରହସ୍ୟମୟ ଚିଠିର ଗୁମର ଖୋଲିଲା ଏଆଇ

ଲଣ୍ଡନ, ୩ା୧୦: ଫ୍ରାନ୍ସର ପ୍ରସିଦ୍ଧ ସମ୍ରାଟ ନେପୋଲିଅନ ବୋନାପାର୍ଟଙ୍କ ଏକ ୨୧୭ ବର୍ଷ ପୁରୁଣା ରହସ୍ୟମୟ ଚିଠିର ଗୁପ୍ତ ସଙ୍କେତକୁ କୃତ୍ରିମ ବୁଦ୍ଧିମତ୍ତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସାହାଯ୍ୟରେ ସଫଳତାର ସହ ଡିକୋଡ୍‌ (ଉନ୍ମୋଚନ) କରାଯାଇଛି। ଦୀର୍ଘ ୨ ଶତାବ୍ଦୀରୁ ଅଧିକ ସମୟ ଧରି ଐତିହାସିକଙ୍କ ପାଇଁ ଏକ ବଡ଼ ଜଟିଳ ପ୍ରଶ୍ନ ହୋଇ ରହିଥିବା ଏହି ଚିଠିର ରହସ୍ୟକୁ ମାତ୍ର ୬ ଘଣ୍ଟା ମଧ୍ୟରେ ଭେଦ କରିଛି ଆଧୁନିକ ଏଆଇ ସିଷ୍ଟମ। ଏହି ଗୁପ୍ତ ଚିଠରେ ଫ୍ରାନ୍ସ ଓ ହାବ୍ସବର୍ଗ ସାମ୍ରାଜ୍ୟ ମଧ୍ୟରେ ଯୁଦ୍ଧ ପୂର୍ବରୁ ସେନା ଚଳାଚଳ ସମ୍ପର୍କିତ ଗୁପ୍ତ ରଣନୀତି ବିଷୟରେ ଉଲ୍ଲେଖ ରହିଥିଲା।
୧୮୦୯ ମସିହାରେ ନେପୋଲିଅନଙ୍କ ସାବତ ପୁଅ ୟୁଜେନ ଏହି ଚିଠିଟିକୁ ଜେନେରାଲ ମାରମୋଣ୍ଟଙ୍କ ନିକଟକୁ ପଠାଇଥିଲେ। ଚିଠିର ପ୍ରଥମ ଧାଡ଼ିଟି ଫରାସୀ ଭାଷାରେ ଥିବା ବେଳେ ଏହା ପରର ୨୪ଟି ଧାଡ଼ିରେ କେବଳ ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟା, ବିକ୍ଷିପ୍ତ ଅକ୍ଷର ଏବଂ ନିଜେ ପ୍ରସ୍ତୁତ କରିଥିବା କିଛି ପ୍ରତୀକ ବ୍ୟବହାର କରାଯାଇଥିଲା। ସାଇବର ସିକ୍ୟୁରିଟି ସଂସ୍ଥା ‘ସେଣ୍ଟିନେଲ ୱାନ୍‌’ର ଜଣେ ଏଆଇ ଇଞ୍ଜିନିୟର କାର୍ଟର ଚର୍ଚ୍ଚ, ଓପନ ଏଆଇର ସବୁଠୁ ଆଧୁନିକ ‘ଜିପିଟି-୬ ଏଏସ୍‌ଟିଆର୍‌ଏ’ ସିଷ୍ଟମ ବ୍ୟବହାର କରି ଏହି ଅସାଧ୍ୟ କାର୍ଯ୍ୟ ସାଧନ କରିଛନ୍ତି। ଏଆଇ ନିଜର ସ୍ବତନ୍ତ୍ର ‘ସଲ୍‌ଭର’ ଜ୍ଞାନକୌଶଳ ବଳରେ ଚିଠିରେ ଥିବା ୧୩୦୦ରୁ ଅଧିକ ହାତଟଣା ସଙ୍କେତକୁ ଚିହ୍ନଟ କରିଥିଲା।ଏହି ଚିଠିଟି ଅଷ୍ଟ୍ରିଆ ଆକ୍ରମଣ କରିବାର ଠିକ୍‌ ୨ ସପ୍ତାହ ପୂର୍ବରୁ ପଠାଯାଇଥିବା ଯୁଦ୍ଧ ସମ୍ପର୍କିତ ଗୁପ୍ତ ବ୍ରିଫିଂ ଥିଲା। ଏହା ନେପୋଲିଅନଙ୍କ ୧୮୬୫ ମସିହାର ଆତ୍ମଜୀବନୀର ଏକ ଅସମ୍ପୂର୍ଣ୍ଣ ବାକ୍ୟକୁ ସମ୍ପୂର୍ଣ୍ଣ କରିଛି, ଯେଉଁଥିରେ ସେ ମାରମୋଣ୍ଟଙ୍କୁ ଲେଖିଥିଲେ ‘କିଛି ଗୁଡ଼ିଏ…’ ଲୋକଙ୍କ ପାଇଁ ଅଟକାଯିବା ଉଚିତ୍‌ ନୁହେଁ’। ଏହି ଚିଠି ଉଦ୍ଧାର ହେବା ପରେ ସେହି ବାକ୍ୟର ଅବଶିଷ୍ଟାଂଶ ମିଳିଛି, ଯେଉଁଥିରେ ସେହି ‘କିଛି ଗୁଡ଼ିଏ ଲୋକ’ଙ୍କୁ ନେପୋଲିଅନ ‘ଏକ ଅରାଜକ ଗୋଷ୍ଠୀ’ ବୋଲି ସମ୍ବୋଧନ କରିଥିଲେ। ନେପୋଲିଅନ ବୋନାପାର୍ଟ ଥିଲେ ଫ୍ରାନ୍ସର ଜଣେ ବିଚକ୍ଷଣ ସାମରିକ ରଣନୀତିକାର ଏବଂ ପରାକ୍ରମୀ ସମ୍ରାଟ, ଯିଏ ନିଜ ଯୁଦ୍ଧକୌଶଳ ବଳରେ ସମଗ୍ର ୟୁରୋପର ଇତିହାସ ବଦଳାଇ ଦେଇଥିଲେ। ୧୮୦୪ରେ ସେ ସମ୍ରାଟ ହୋଇଥିଲେ ମଧ୍ୟ ପରେ ୧୮୧୫ର ବିଶ୍ୱପ୍ରସିଦ୍ଧ ‘ୱାଟରଲୁ ଯୁଦ୍ଧ’ରେ ପରାସ୍ତ ହୋଇ ସେଣ୍ଟ ହେଲେନା ଦ୍ୱୀପକୁ ନିର୍ବାସିତ ହୋଇଥିଲେ ଓ ସେଠାରେ ୧୮୨୧ରେ ତାଙ୍କର ମୃତ୍ୟୁ ଘଟିଥିଲା। ଇତିହାସ ଏବଂ ଆଧୁନିକ ଟେକ୍ନୋଲୋଜିର ଏହି ଅପୂର୍ବ ସଫଳତା ଏବେ ସାରା ବିଶ୍ୱରେ ଆଲୋଡ଼ନ ସୃଷ୍ଟିକରିଛି।

Dharitri – Odisha’s No.1 Odia Daily

Share