ମାସକରେ ୪,୦୦୦ ଚାକିରି ନେଇଛି ଏଆଇ

ଓ୍ବାଶିଂଟନ, ୫ା୬ : ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ) ଆମେରିକାରେ ମେ’ ମାସରେ ପ୍ରାୟ ୪,୦୦୦ ଲୋକଙ୍କ ଚାକିରି ଛଡ଼ାଇନେଇଛି। ଚ୍ୟାଲେଞ୍ଜର, ଗ୍ରେ ଆଣ୍ଡ କ୍ରିଷ୍ଟମାସ୍‌ ପକ୍ଷରୁ ଜାରି ମାସିକ ରିପୋର୍ଟରେ ଏହା କୁହାଯାଇଛି। ୩,୯୦୦ କର୍ମଚାରୀ ଛଟେଇ ପାଇଁ ଏଆଇ ଦାୟୀ ବୋଲି ଆମେରିକାର ନିଯୁକ୍ତିଦାତାମାନେ କହିଛନ୍ତି, ଯାହାକି ମେ’ ମାସର ମୋଟ ଛଟେଇର ୪.୯ ପ୍ରତିଶତ।
ଉକ୍ତ ରିପୋର୍ଟ ଅନୁଯାୟୀ ଜାନୁୟାରୀରୁ ମେ’ ମଧ୍ୟରେ ୪,୧୭,୫୦୦ କର୍ମଚାରୀ ଛଟେଇ ହେଲେଣି, ଯାହାକି ୨୦୨୦ରୁ ଇତିମଧ୍ୟରେ କୌଣସି ବର୍ଷର ପ୍ରଥମ ୫ ମାସରେ ସର୍ବାଧିକ ଛଟେଇ। କୋଭିଡ୍‌ ମହାମାରୀ ପାଇଁ ୧୪ ଲକ୍ଷରୁ ଊର୍ଦ୍ଧ୍ୱ କର୍ମଚାରୀ ଚାକିରି ହରାଇଥିଲେ। ମହାମାରୀ ପରେ ୨୦୨୩ ପ୍ରଥମ ଭାଗରେ ସର୍ବାଧିକ ଛଟେଇ ହେଲାଣି। ଗ୍ରାହକମାନଙ୍କ ବିଶ୍ୱାସ ୬ ମାସ ତଳକୁ ଖସିଯାଇଥିବାବେଳେ ନିଯୁକ୍ତି ସୃଷ୍ଟି ହେଉନାହିଁ। ମାନ୍ଦାବସ୍ଥା ଯୋଗୁ କମ୍ପାନୀଗୁଡ଼ିକ ନିଯକ୍ତି ବନ୍ଦ କରିଦେଇଥିବା ଶ୍ରମ ବିଶେଷଜ୍ଞ ତଥା ଚ୍ୟାଲେଞ୍ଜର, ଗ୍ରେ ଆଣ୍ଡ କ୍ରିଷ୍ଟମାସ୍‌ର ବରିଷ୍ଠ ଉପାଧ୍ୟକ୍ଷ ଆଣ୍ଡ୍ର୍ୟୁ ଚ୍ୟାଲେଞ୍ଜର କହିଛନ୍ତି। ଏଆଇକୁ ବାଦ୍‌ ଦେଲେ ବ୍ୟବସାୟ ବନ୍ଦ ହେବା ମେ’ ମାସ ଛଟେଇର ଅନ୍ୟତମ ମୁଖ୍ୟ କାରଣ। ବ୍ୟବସାୟ ବନ୍ଦ କାରଣରୁ ୧୯,୬୦୦ ଲୋକ ନିଯୁକ୍ତି ହରାଇନ୍ତି। ୧୪,୬୦୦ ଛଟେଇ ପାଇଁ ବଜାର/ଆର୍ଥତ୍କ ସ୍ଥିତି ଦାୟୀ ହୋଇଥିବାବେଳେ ୧୨,୯୦୦ ଛଟେଇ ସମ୍ପର୍କରେ କୌଣସି କାରଣ ଦିଆଯାଇ ନାହିଁ। ଚଳିତ ବର୍ଷର ପ୍ରଥମ ୫ ବର୍ଷରେ ଆର୍ଥତ୍କ ସ୍ଥିତି କାରଣରୁ ପାଖାପାଖି ୨,୦୬,୩୦୦ ଲୋକ ନିଯୁକ୍ତି ହରାଇଲେଣି।
ସାହିତ୍ୟ ସୃଷ୍ଟି ଭଳି ସୃଜନାତ୍ମକ କାର୍ଯ୍ୟ, ପ୍ରଶାସନିକ ଓ କିରାଣି କାର୍ଯ୍ୟ ସମେତ ବିଭିନ୍ନ କାର୍ଯ୍ୟକୁ ସ୍ବୟଂକ୍ରିୟ କରାଇବା ପାଇଁ ସାରା ବିଶ୍ୱରେ ବ୍ୟବସାୟିକ ସଂସ୍ଥାଗୁଡ଼ିକ ଅତ୍ୟାଧୁନିକ ଏଆଇ ଟେକ୍‌ନୋଲୋଜି ଆପଣାଉଥିବାବେଳେ ଏହା କର୍ମଚାରୀ ଛଟେଇର ଅନ୍ୟତମ କାରଣ ବୋଲି ଚ୍ୟାଲେଞ୍ଜର, ଗ୍ରେ ଆଣ୍ଡ କ୍ରିଷ୍ଟମାସ୍‌ ରିପୋର୍ଟରେ କୁହାଯାଇଛି। ନିଯୁକ୍ତିଦାତା ଚାଟ୍‌ଜିପିଟି ବ୍ୟବହାର କରିବାକୁ ନିଷ୍ପତ୍ତି ନେବା ପରେ ଦୁଇଜଣ କପିରାଇଟର ଜୀବିକା ହରାଇଥିବା ପ୍ରକାଶ ପାଇଥିଲା। ନିବନ୍ଧ ଲେଖିବା ପାଇଁ ମିଡିଆ କମ୍ପାନୀ ସିଏନ୍‌ଇଟି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବ୍ୟବହାର କରିବା ପରେ କେତେଜଣ ଖବରଦାତାଙ୍କୁ ଛଟେଇ କରିଛି। ସାରା ବିଶ୍ୱରେ ଏଆଇ ୩୦ କୋଟି ପୂର୍ଣ୍ଣକାଳୀନ କର୍ମଚାରୀଙ୍କ ଛଟେଇ କରିପାରେ ଏବଂ ୨୦% ନିଯୁକ୍ତି ପ୍ରଭାବିତ ହୋଇପାରେ ବୋଲି ମାର୍ଚ୍ଚରେ ଗୋଲ୍ଡମ୍ୟାନ୍‌ ସାଚସ୍‌ ପୂର୍ବାନୁମାନ କରିଥିଲା।

Share